ରାଜ୍ୟରେ ହୋଇଛି କି ନାହିଁ ମରୁଡି? ପଢନ୍ତୁ, କଣ କହିଲେ ରାଜସ୍ୱ ମନ୍ତ୍ରୀ ?

203

କନକ ବ୍ୟୁରୋ: ରାଜ୍ୟର ୨୦ଟି ଜିଲ୍ଲାର ୧୦୨ ବ୍ଲକରେ ଧାନ ଚାଷ ପ୍ରଭାବିତ ହୋଇଛି । ସମ୍ଭାବ୍ୟ ମରୁଡି ପରିସ୍ଥିତିକୁ ନେଇ ମୋସନ ଆଲୋଚନାରେ ଏହା କହିଛନ୍ତି ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି । ସେ କହିଛନ୍ତି ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ଗତ ବର୍ଷ ଅପେକ୍ଷା ୧ଲକ୍ଷ ୧୯ ହଜାର ହେକ୍ଟର କମ୍ ଜମିରେ ଚାଷ ହୋଇଛି । କମ ବର୍ଷା ଯୋଗୁଁ ଧାନ ରୂଆ ଓ ବେଉଷଣ କାର୍ଯ୍ୟ ହୋଇପାରି ନାହିଁ । ତେଣୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ।  କମ ବୃଷ୍ଟିପାତ ଯୋଗୁଁ ରାଜ୍ୟର ଜଳଭଣ୍ଡାରଗୁଡିକରେ ପାଣିର ପରିମାଣ କମ ରହିଛି । ସେହି ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ପ୍ରାଥମିକତା ଦିଆଯିବ, ବଳକା ପାଣିକୁ ଜଳସେଚନ କରାଯିବ । ଅନାବୃଷ୍ଟି ଯୋଗୁଁ ଫସଲ କ୍ଷତି ସଂପର୍କରେ ୧୫ଟି ଜିଲ୍ଲାର ନୋଡାଲ ଅଫିସର ରିପୋର୍ଟ ଦେଇଛନ୍ତି । ସେପଟେ ମରୁଡି ସ୍ଥିତିର ଅନୁଧ୍ୟାନ ପାଇଁ ଗୃହ କମିଟି ଗଠନ କରିବାକୁ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଦାବି କରିଛନ୍ତି । ସେହିପରି ମରୁଡି ଘୋଷଣା କରି ଚାଷୀଙ୍କୁ ସହାୟତା ଦେବାକୁ ଦାବି କରିଛି କଂଗ୍ରେସ ।