ବିରୋଧୀଙ୍କ ଇସ୍ତଫା ଦାବି ଭିତରେ ସାମ୍ନାକୁ ଆସିଲେ ଦିବ୍ୟଶଙ୍କର । ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଲେ ବଡ଼ ସଙ୍କେତ ।

174

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ସମ୍ପର୍କକୁ ନେଇ ବିବାଦ ଭିତରେ ସାମ୍ନାକୁ ଆସିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଲୋକସେବା ଭବନରେ ସୁଷ୍ମ, ଲଘୁ ଓ ମଧ୍ୟମ ବିଭାଗର ଏକ ସେମିନାରରେ ଅଧ୍ୟକ୍ଷତା କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । କ୍ୟାପଟେନଙ୍କ ଇସ୍ତଫା ଦାବିରେ ବିରୋଧୀ ଜୋରଦାର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଏହାରି ଭିତରେ ମନ୍ତ୍ରୀ ସହଜରେ ତାଙ୍କ କାମ କରିବା ଏକ ବଡ ସଙ୍କେତ ଦେଉଛି ।

ପ୍ରବଳ ବିବାଦ ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୁଷ୍ମ, ଲଘୁ ଓ ମଧ୍ୟମ ବିଭାଗର ଏକ ସେମିନାରରେ ଅଧ୍ୟକ୍ଷତା କରିଛନ୍ତି । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଚାରିଆଡେ ବିରୋଧ ଓ ବିକ୍ଷୋଭ ଜାରି ରହିଛି । ଆଉ ଏହି ବିବାଦ ଭିତରେ କିନ୍ତୁ ମନ୍ତ୍ରୀ ସହଜରେ ତାଙ୍କ କାମ କରିବା ଏକ ବାର୍ତ୍ତା ଆଡ଼କୁ ଇସାରା କରୁଛି ।

ମନ୍ତ୍ରୀ ବିଭାଗୀୟ ସେମିନାରରେ ଅଧ୍ୟକ୍ଷତା କରିବା ଘଟଣା ଏକ ବାର୍ତ୍ତା ବୋଲି କୁହାଯାଉଛି । ଆଉ ଏହି ବାର୍ତ୍ତା ହେଉଛି ଏବେ ବି ସେ ସରକାରଙ୍କ ବିଶ୍ୱାସରେ ଅଛନ୍ତି । ସେମିନାରରେ ମନ୍ତ୍ରୀଙ୍କ ହାବଭାବ ଦେଖିଲେ ଲାଗିବ ତାଙ୍କ ଭିତରେ ଆତ୍ମବିଶ୍ୱାସ ସହ କୌଣସି ଚାପରେ ନାହାନ୍ତି ।

ସେମିନାର ପରେ ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ ଏହି ଫଟୋ ସବୁ ପଠାଯାଇଛି ଏବଂ ଏକ ପ୍ରେସ ରିଲିଜ ମଧ୍ୟ ଦିଆଯାଇଛି । ଏଥିରେ କୁହାଯାଇଛି, ଓଡିଶାକୁ ହସ୍ତତନ୍ତ୍ର ଶିଳ୍ପର ହବ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନବରତ ପ୍ରଚେଷ୍ଟା ଚାଲିଛି । ଲୋକସବା ଭବନରେ ଅନୁଷ୍ଠିତ ‘ମେକିଂ ଓଡ଼ିଶା ଟେକ୍ସଟାଇଲ ହବ’ ସମ୍ପର୍କିତ ସେମିନାରରେ ମାନ୍ୟବର ମନ୍ତ୍ରୀ ଏହି ମନ୍ତବ୍ୟ ରଖିଥିଲେ ବୋଲି ପ୍ରେସ ରିଲିଜରେ ଲେଖାଯାଇଛି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଗୋବିନ୍ଦ ସାହୁଙ୍କ ଅତିଥି ହୋଇ ଯିବା, ଏବଂ ତାଙ୍କୁ ପ୍ରଶଂସାରେ ପୋତି ପକାଇବା ଘଟଣା ତାଙ୍କୁ ବିବାଦୀୟ କରିଦେଇଛି । ବିରୋଧୀଙ୍କ ଘନ ଘନ ବିକ୍ଷୋଭ, ପ୍ରତିବାଦ ଓ ଶୋଭାଯାତ୍ରାକୁ ବିଜେଡି ପକ୍ଷରୁ କାଉଣ୍ଟର କରାଯାଇ ଦଳ ତାଙ୍କ ସମର୍ଥନରେ ଠିଆ ହୋଇଥିଲା । ଏବେ ବିଭାଗୀୟ ସେମିନାରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଧ୍ୟକ୍ଷତା କରିବା ପରେ ସରକାର ତାଙ୍କୁ ହଟାଇବା ମୁଡରେ ନାହାନ୍ତି ବୋଲି ଇସାରା ଦେଇଛନ୍ତି ।