ହିଂସା ବଳୟରେ ହରିୟାଣା: ସାମ୍ପ୍ରଦାୟିକ ହିଂସା ନେଉଛି ମୁଣ୍ଡ, ଗଲାଣି ୭ ଜଣଙ୍କ ଜୀବନ । ଜଳିପୋଡି ଯାଇଛି ଶହଶହ ଯାନବାହାନ ।

853

କନକ ବ୍ୟୁରୋ: ସୋମବାର ହିଂସାରେ ଜଳିଛି ହରିୟାଣା । ଦୁଇ ଗୋଷ୍ଠୀଙ୍କ ସଂଘର୍ଷରେ ଥରି ଉଠିଛି ପୂରା ରାଜ୍ୟ । ହିଂସା ପ୍ରଭାବିତ ରାଜ୍ୟରେ କେଉଁଠି ଦୋକାନ ପୋଡି ଜଳି ପାଉଁଶ ହୋଇଛି ତ ପୁଣି କେଉଁଠି ଯାନବାହନ ନିଅାଁ ଲଗାଇଛନ୍ତି ଉପଦ୍ରବକାରୀ । କେବଳ ରାସ୍ତାରେ ଛିଡା ହୋଇଥିବା ଯାନବାହନ ନୁହେଁ ବଂର ଘର ଓ ଶୋ ରୁମ ଭିତରେ ପଶି ମଧ୍ୟ ଲକ୍ଷାଧିକ ଟଙ୍କାର ଯାନବାହନ ପୋଡି ଫେରାର ହୋଇଛନ୍ତି ଦଙ୍ଗାକାରୀ । ସାଧାରଣ ଜନତାଙ୍କ ଧନ ସମ୍ପତି ନୁହେଁ ସରକାରୀ ଓ ସୁରକ୍ଷାକର୍ମୀଙ୍କ ଗାଡି, ଘର ମଧ୍ୟ ଆକ୍ରମଣରୁ ବାଦ ପଡିନି । ୨୪ ଘଂଟା ଭିତରେ ବଦିଯାଇଛି ହରିଆଣା ନୁହ, ମେୱାତ, ସୋହାନ ସହ ଅନେକ ସ୍ଥାନ ଯେଉଁଠି ନଜର ପକାଇବେ ସେଠି କେବଳ ପୋଡାଜଳାର ଦୃଶ୍ୟ ଦେଖିବାକୁ ମିଳୁଛି । ରାସ୍ତା ଉପରେ କୁଢ କୁଢ ପୋଡାଜଳା ଗାଡି ପଡି ରହିଛି ।

  • କଫ୍ୟୁ ବଳବତ୍ତର, ଶିକ୍ଷାନୁଷ୍ଠାନ,ଇଂଟରନେଟ ବନ୍ଦ
  • ହିଂସା ପଛରେ ଅପରାଧୀ ମନୁ ମାନସେରର ହାତ!

ଭୟଙ୍କର ହିଂସା ପଛରେ କୁଖ୍ୟାତ ଅପରାଧୀ ମନୁ ମାନସେରର ହାତ ଥିବା କୁହାଯାଉଛି । ଏକ ବିବାଦୀୟ ଭିଡିଓ ଜାରି କରି ମନୁଙ୍କ ଇସାରାରେ ସାମ୍ପ୍ରଦାୟିକ ହିଂସା ଘଟାଯାଇଥିବା ପ୍ରମାଣ ମିଳିଛି । ମନୁ ଜଣେ ମୋଷ୍ଟ ୱାଂଟେଡ ଅପରାଧୀ ଓ ବଜରଙ୍ଗଦଳ ସଦସ୍ୟ ବୋଲି ଜଣାପଡିଛି । ଘଟଣା ପରେ ହିଂସା ପ୍ରଭାବିତ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ରାସ୍ତାଘାଟ ଶୂନଶାନ । ସବୁଠି ଜଗି ରହିଛନ୍ତି ସୁରକ୍ଷାକର୍ମୀ । ଗୁରୁଗ୍ରାମ, ଫରିଦାବାଦ, ନୁହ, ପଲୱାଲରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯିବା ସହ ଇଂଟରନେଟ ସେବା ଠପ ହୋଇଛି । ଅନେକ ସ୍ଥାନରେ ୧୪୪ ଧାରା ଓ କର୍ଫ୍ୟୁ ଲଗାଯାଇଛି । ସେପଟେ ହିଂସା ଘଟଣା ପାଇଁ ହରିୟାଣା ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ । ଖଟ୍ଟର ସରକାର ନିର୍ବାଚନ ପୂର୍ବରୁ ରାଜ୍ୟକୁ ସାମ୍ପ୍ରଦାୟିକ ହିଂସା ମୁହଁକୁ ଠେଲି ଦେଉଥିବା କଂଗ୍ରେସ ଅଭିଯୋଗ କରିଛି । ବିଜେପି କହିଛି ଏହା ପଛରେ ବିରୋଧୀଙ୍କ ଷଡଯନ୍ତ୍ର ରହିଛି ।

ସୋମବାର ବିଶ୍ୱ ହିନ୍ଦୁ ପରିଷଦ ଶୋଭାଯାତ୍ରା ବନ୍ଦ କରିବାକୁ ଉଦ୍ୟମ କରାଯିବାରୁ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଖବର ପ୍ରସାରଣ ହେବା ପରେ ନୁହରେ ଦୁଇ ସମ୍ପ୍ରଦାୟ ମଧରେ ଆଉ ଏକ ସଂଘର୍ଷ କରିଥିଲେ । ଗୁଳିମାଡଠୁ ନେଇ ପଥରମାଡ, ପୋଡାଜଳା ହିଂସାରେ ଜଳିଉଠିଥିଲା ଅନେକ ସ୍ଥାନ । ମାମଲାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ମଧ୍ୟ ବିକ୍ଷୋଭର ଶିକାର ହୋଇଥିଲା । ଘଟଣାରେ ଏବେ ସୁଦ୍ଧା ୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଭଙ୍ଗାରୁଜା, ପୋଡାଜଳା, ପଥରମାଡ ଘଂଟାଘଂଟା ରାସ୍ତା ଅବରୋଧରେ ହରିୟାଣାରେ ଲାଗି ରହିଛି ଊତେଜନା ।