ଉପ-ବାଚଷ୍ପତିଙ୍କ କାର ଉପରକୁ ଆକ୍ରମଣ ଘଟଣା । ୧୦୦ କୃଷକଙ୍କ ନାମରେ ରାଜଦ୍ରୋହ ମାମଲା ରୁଜୁ କଲା ହରିଆଣା ପୋଲିସ

244

କନକ ବ୍ୟୁରୋ : ହରିଆଣା ବିଧାନସଭାର ଉପ-ବାଚଷ୍ପତିଙ୍କ କାର ଉପରକୁ ଆକ୍ରମଣ ଘଟଣାରେ ୧୦୦ ଜଣ କୃଷକଙ୍କ ଉପରେ ରାଜଦ୍ରୋହ ମାମଲା ରୁଜୁ କରିଛି ରାଜ୍ୟ ପୋଲିସ । ଅଭିଯୋଗ ହୋଇଥିଲା କି ବିବାଦିତ କୃଷି ଆଇନକୁ ବିରୋଧ କରିବା କ୍ରମରେ ଡେପୁଟି ସ୍ପିକର ରଣବୀର ଗଙ୍ଗବାଙ୍କ ଗାଡି ଉପରକୁ ୧୦୦ ରୁ ଅଧିକ କୃଷକ ଆକ୍ରମଣ କରି ତାଙ୍କ ଗାଡିକୁ ନଷ୍ଟ କରିଦେଇଥିଲେ ।

ଏଭଳି ଘଟଣା ଜୁଲାଇ ୧୧ ତାରିଖରେ ହରିଆଣାର ସୀରସା ଠାରେ ଘଟିଥିଲା । ଏହି ଘଟଣାକୁ ନେଇ କୃଷକମାନଙ୍କ ଉପରେ ରାଜଦ୍ରୋହ ଦଫା ଆଧାରରେ ମାମଲା ରୁଜୁ ହୋଇଛି । ଏହାସହ ହତ୍ୟା ଉଦ୍ୟମ ଓ ଲୋକ ସେବକଙ୍କୁ ସାର୍ବଜନୀକ କାର୍ଯ୍ୟରେ ବାଧା ଦେବା ଭଳି ଅଭିଯୋଗ ରହିଛି । ହରିଆଣା କୃଷକ ଆନ୍ଦୋଳନର ୨ ପ୍ରମୁଖ ନେତା ହରଚରଣ ସିଂ ଓ ପ୍ରହ୍ଲାଦ ସିଂଙ୍କ ନାମ ବି ଏହି ମାମଲାରେ ରହିଛି ।

କହିରଖୁ କି ଏହି ଖବର ଆସିବାର କିଛି ଘଂଟା ପରେ ଏହି ଆଇନକୁ ନେଇ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ.ବି ରମନ୍ନା କହିଛନ୍ତି କି ରାଜଦ୍ରୋହ ଆଇନ ଇଂଗ୍ରେଜମାନଙ୍କ ଶାସନ ସମୟରେ ବ୍ୟବହାର କରାଯାଉଥିଲା । ସ୍ୱାଧୀନତାର ୭୫ ବର୍ଷ ପରେ ଏହାର କ’ଣ ଆବଶ୍ୟକତା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।