କରୋନା ଉପରେ ଭାରି ପଡୁଛି ପ୍ରଦୂଷଣ, ଦିଲ୍ଲୀ ପରେ ହରିଆଣାର ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ

67

କନକ ବ୍ୟୁରୋ : ଏବେ ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ପୁଣିଥରେ ଦେଶବାସୀଙ୍କୁ ଲକଡାଉନର ଭୟ ଘାରିଛି । ଏହାରି ଭିତରେ କରୋନା ଠାରୁ ଦେଶର କିଛି ରାଜ୍ୟରେ ପ୍ରଦୂଷଣ ପାଇଁ ବି ଲକଡାଉନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ସୁପ୍ରିମ କୋର୍ଟଙ୍କ ତାଗିଦ ପରେ ଦିଲ୍ଲୀ ସରକାର ରାଜ୍ୟର ସମସ୍ତ ସ୍କୁଲକୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଥିବା ଏବେ ଏବେ ହରିଆଣା ସରକାର ବି ପ୍ରଦୂଷଣ କାରଣରୁ ରାଜ୍ୟର ଫରିଦାବାଦ, ସୋନିପତ, ଗୁରୁଗ୍ରାମ ଓ ଝାଞ୍ଜର ଜିଲ୍ଲାର ସମସ୍ତ ସ୍କୁଲକୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁ କି କିଛିଦିନ ତଳେ ଦିଲ୍ଲୀ ସରକାର ପ୍ରଦୂଷଣକୁ ନେଇ ରାଜ୍ୟରେ ବିଭିନ୍ନ କଟକଣା ଜାରି କରିଥିଲେ । ଏହା ମଧ୍ୟରେ ପ୍ରମୁଖ ଥିଲା କି ସ୍କୁଲ ବନ୍ଦ ରଖିବା । ମାତ୍ର କିଛିଦିନ ପରେ ପ୍ରଦୂଷଣ ସ୍ଥିରଥିବା ଦର୍ଶାଇ ଦିଲ୍ଲୀରେ ପୁଣି ସ୍କୁଲ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଜଣେ ଓକିଲ ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଏହାର ଶୁଣାଣି କରି କୋର୍ଟ ଗତକାଲି କହିଥିଲେ କି ଯଦି ବୟସ୍କ ମାନଙ୍କୁ ଘରେ ରହି କାମ କରିବାକୁ ସରକାର ନିର୍ଦ୍ଦେଶ ଦେଉଛନ୍ତି ତେବେ ଛୋଟ ଛୋଟ ପିଲାମାନେ କିଭଳି ସ୍କୁଲ ଯାଇ ପାରିବେ । ଏହି ମାମଲାରେ ତୁରନ୍ତ ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ତୁରନ୍ତ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସହ ଆଲୋଚନା କରି ପୁଣି ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆଜି ଦିଲ୍ଲୀର ପଡୋଶୀ ରାଜ୍ୟ ହରିଆଣାରେ ବି ପ୍ରଦୂଷଣ ମାତ୍ରା ବଢୁଥିବା ନଜର କରି ଖଟ୍ଟର ସରକାର ରାଜ୍ୟର ୪ ଜିଲ୍ଲାର ସମସ୍ତ ସ୍କୁଲକୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।