ଆଜି ଆସିବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନର ଫଳ: ୮ଟାରୁ ଗଣତି ଆରମ୍ଭ; ସତ ହେବ କି ବୁଥ ବାହୁଡା ମତ? ବିଜେପି ପୁଣି ଗଢିବ ସରକାର ନା ଫେରିବ କଂଗ୍ରେସ ?

ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର

160

କନକ ବ୍ୟୁରୋ: ଆଜି ଆସିବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନର ଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ସମସ୍ତ ଆସନରେ ୧୪ରୁ ୨୦ ଟି ଟେବୁଲରେ ଭୋଟ୍ ଗଣତି ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଗଣତି କେନ୍ଦ୍ରଗୁଡିକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନ ଓ ହରିଆଣାର ୯୦ଟି ଆସନର ଆସିବ ଫଳ । ଏହା ସହିତ ୧୮ଟି ରାଜ୍ୟର ୫୧ ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନର ଫଳ ଓ ୨ଟି ଲୋକସଭା ଉପନିର୍ବାଚନ ଫଳ ମଧ୍ୟ ପ୍ରକାଶ ପାଇବ । ଏହା ଭିତରେ ରହିଛି ବିଜେପୁର ଉପନିର୍ବାଚନର ଫଳାଫଳ ।

ମହାରାଷ୍ଟ୍ରର କିଏ ଗଢ଼ିବ ସରକାର? ଆଜି ଆସିବ ଫଳ । ମହାରାଷ୍ଟ୍ରର ଜନତା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଉପରେ ଭରସା କରିଛନ୍ତିି କି ନାହିଁ ତାହା ସ୍ପଷ୍ଟ ହେବ । ଏହା ସହିତ ମୋଦି ସରକାର ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ କରିବା ପରେ ଆସିବ ବଡ ପରୀକ୍ଷାର ଫଳ । ମହାରାଷ୍ଟ୍ରର ଭୋଟର ମୋଦିଙ୍କ ଏହି ପଦକ୍ଷେପ ସପକ୍ଷରେ କେତେ ପରିମାଣରେ ଭୋଟ ଦେଇଛନ୍ତି ତାହା ସ୍ପଷ୍ଟ ହେବ । ସେହିପରି ମୋଦି ସରକାର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବା ପରେ ଏହା ହେବ ବଡ ପରୀକ୍ଷା । ତେଣୁ ଏହି ରେଜଲ୍ଟରୁ ଭୋଟରଙ୍କ ମୁଡ ଜଣାପଡିବ ।

ଅନ୍ୟପଟେ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା କଂଗ୍ରେସ ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଛି । ଦେଶରେ ଆର୍ଥିକ ମାନ୍ଦାବସ୍ଥା, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା କଂଗ୍ରେସକୁ କେତେ ଫାଇଦା ଦେବ ତାହା ସ୍ପଷ୍ଟ ହୋଇଯିବ । ସେହିପରି ଏନସିପି ମୁଖ୍ୟ ଶରଦ ପାୱାର ଓ ତାଙ୍କ ପୁତୁରା ଅଜିତ୍ ପାୱାର ଦୁର୍ନୀତିରେ ଜଡିତ ନେଇ ଇଡିର ଜେରା ପରେ ନିର୍ବାଚନ ଉପରେ ଏହାର ପ୍ରଭାବ କେତେ ପଡିବ ତାହା ସ୍ପଷ୍ଟ ହେବ । ତେବେ ଭୋଟଗ୍ରହଣ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ୍ ବାହୁଡା ମତ ସର୍ଭେରେ ବିଜେପି-ଶିବସେନା ମେଂଟ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିବେ ବୋଲି କୁହାଯାଇଛି ।

ସେହିପରି ହରିୟାଣାରେ ପୁଣି ବିଜେପି କମବ୍ୟାକ୍ କରିବ କି କଂଗ୍ରେସ ଫେରିବ ତାହା ସ୍ପଷ୍ଟ ହେବ । ଆଜି ଆସିବ ହରିଆଣା ବିଧାନସଭା ଆସନ ପାଇଁ ହୋଇଥିବା ମତଦାନର ଫଳାଫଳ । ହରିଆଣାର ଭୋଟର ପୁଣି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଉପରେ ଭରଷା କରୁଛନ୍ତି କି ନାହିଁ ତାହା ଜଣାପଡିବ । ଅନ୍ୟପଟେ ଜାତୀୟ କଂଗ୍ରେସର ସ୍ଥିତି ସ୍ପଷ୍ଟ ହେବ । ହରିଆଣାର ଜନନାୟକ ଜନତା ପାର୍ଟି, ଭାରତୀୟ ଜାତୀୟ ଲୋକ ଦଳ ଭଳି ଛୋଟ ଛୋଟ ଆଂଚଳିକ ଦଳର ଭବିଷ୍ୟତ ନିର୍ଣ୍ଣୟ ହେବ । ତେବେ ଭୋଟଗ୍ରହଣ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ୍ ବାହୁଡା ମତ ସର୍ଭେରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିବେ ବୋଲି କୁହାଯାଇଛି । କିନ୍ତୁ ଗୋଟିଏ ସଂସ୍ଥାର ଏକ୍ସିଟ୍ ପୋଲ୍ ଅନୁଯାୟୀ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ । ବିଜେପି କ୍ଷମତାକୁ ଫେରିଲେ ହରିୟାଣାରେ ରେକର୍ଡ କରିବ ।