କନକ ବ୍ୟୁରୋ : ହରିଆଣାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂ ୧୦ ବର୍ଷ ପରେ ପୁଣି କଂଗ୍ରେସକୁ ଫେରିଛନ୍ତି । ସେ ବିଜେପିରୁ ଇସ୍ତଫା ଦେଇ ତୁରନ୍ତ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହାସହ ତାଙ୍କ ପତ୍ନୀ ପ୍ରେମଲତା ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି ।

Advertisment

ହରିଆଣାର ବରିଷ୍ଠ ଜାଟ ନେତା ତଥା ୨୦୧୬-୧୯ ପର୍ଯ୍ୟନ୍ତ ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ବିରେନ୍ଦ୍ର ସିଂ ମଙ୍ଗଳବାର ଦିନ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ବିରେନ୍ଦ୍ର ସିଂ ଓ ତାଙ୍କ ପତ୍ନୀ ପ୍ରେମଲତା କଂଗ୍ରେସରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ସାଂସଦ ଥିବା ତାଙ୍କ ପ୍ରୁଅ ବ୍ରିଜେନ୍ଦ୍ର ସିଂ ମଧ୍ୟ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ ।

କଂଗ୍ରେସରେ ଯୋଗ ଦେବା ପରେ ବିରେନ୍ଦ୍ର କହିଛନ୍ତି କି, କଂଗ୍ରେସର ଶକ୍ତି ବୃଦ୍ଧି ପାଉଛି । କଂଗ୍ରେସର କାର୍ଯ୍ୟକତ୍ତା ମାନେ ମଜବୁତ ସହକାରେ ନିର୍ବାଚନ ପାଇଁ ଆଗକୁ ବଢିଛନ୍ତି । ଦେଶରେ କଂଗ୍ରେସର ଭବିଷ୍ୟତ ପୁଣିଥରେ ଉଜ୍ୱଳ ହେବାକୁ ଯାଉଛି । ଏହାସହ ଆୟକର ବିଭାଗ ତରଫରୁ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବା ପ୍ରସଙ୍ଗରେ ସେ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି, ଏହି ମାମଲା ପୁରୁଣା ଅଟେ, ତେଣୁ ଯଦି କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବାର ଥିଲା ତେବେ ଏହା ବହୁ ଆଗରୁ କରାଯାଇପାରିଥାନ୍ତା । ହେଲେ ଏବେ ନିର୍ବାଚନ ଥିବା ବେଳେ ଆୟକର ବିଭାଗ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏଭଳି କରିଛି ।

ବିିରେନ୍ଦ୍ର ସିଂ ହରିଆଣାର ଜିନ୍ଦ ବାସିନ୍ଦା । ସେ ୫ ଥର ବିଧାୟକ ହୋଇଥିଲେ । ୨୦୧୪ ମସିହାରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ୧୦ ବର୍ଷ ପରେ ସେ ପୁଣି କଂଗ୍ରେସକୁ ଫେରିଛନ୍ତି । ଏହା ସହ ତାଙ୍କ ପତ୍ନୀ ପ୍ରେମଲତା ବିଜେପି ଟିକେଟରୁ ୨୦୧୪-୨୦୧୯ ମସିହା ପର୍ଯ୍ୟନ୍ତ ଓଚାନା ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିଲେ । ଏହାସହ ତାଙ୍କ ପୁଅ ବ୍ରିଜେନ୍ଦ୍ର ସିଂ ୨୦୧-୨୦୨୪ ପର୍ଯ୍ୟନ୍ତ ବିଜେପି ଟିକେଟରୁ ହିସାର ଲୋକସଭା ଆସନରେ ସାଂସଦ ରହିଛନ୍ତି ।