ହରିୟାଣାରେ ଆଇଏନଏଲଡି ରାଜ୍ୟ ସଭାପତିଙ୍କୁ ବିଚ୍ ରାସ୍ତାରେ ଗୁଳିକରି ହତ୍ୟା । ସହଯୋଗୀ ମୃତ, ତିନି ସୁରକ୍ଷାକାରୀ ଆହତ ।

596

କନକ ବ୍ୟୁରୋ: ହରିୟାଣାର ଇଣ୍ଡିଆନ ନ୍ୟାସନାଲ ଲୋକ ଦଳର ରାଜ୍ୟ ସଭାପତିଙ୍କୁ ଗୁଳିକରି ହତ୍ୟା । ନାଫେ ସିଂହ ରାଠି କାରରେ ଯାଉଥିଲେ । ଏହି ସମୟରେ ଅଜଣା ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆଇଏନଏଲଡି ନେତା ଅଭୟ ଚୌଟାଲା କହିଛନ୍ତି, ନାଫେ ସିଂହ ରାଠିଙ୍କ ସହିତ ଥିବା ଅନ୍ୟ ଜଣେ ଦଳୀୟ କର୍ମୀଙ୍କର ମଧ୍ୟ ଗୁଳିକାଣ୍ଡରେ ମୃତ୍ୟୁ ଘଟିଛି । ସେ ରାଠିଙ୍କୁ ସହଯୋଗ କରିବା ପାଇଁ ଥିଲେ ବୋଲି ଅଭୟ ଚୌଟାଲା କହିଛନ୍ତି ।

ଲୋକସଭା ନିର୍ବାଚନକୁ ହାତରେ ଅଳ୍ପ ଦିନ ରହିଛି । ଏହା ପୂର୍ବରୁ ହରିୟାଣାରେ ବିରୋଧୀ ଦଳର ସଭାପତିଙ୍କୁ ଗୁଳିକରି ହତ୍ୟା ପରେ ରାଜ୍ୟରେ ଆଇନ ଶୃଂଙ୍ଖଳା ଉପରେ ପ୍ରଶ୍ନ ଉଠିଛି । ରାଜ୍ୟରେ ବିଜେପି କ୍ଷମତାରେ ରହିଛି । ଏପରି ସ୍ଥିତିରେ ମନୋହର ଲାଲ ଖଟ୍ଟର ସରକାରକୁ ପ୍ରଶ୍ନ କରିଛନ୍ତି ବିରୋଧୀ ।

ମିଳିଥିବା ସୂଚନା ଅନୁସାରେ ଗୁଳିକାଣ୍ଡ ବେଳେ ନାଫେ ସିଂହ ରାଠିଙ୍କ ସହିତ ତିନି ଜଣ ଘରୋଇ ବନ୍ଧୁକଧାରୀ ଥିଲେ । ଯେଉଁମାନେ କି ଆହତ ହୋଇଛନ୍ତି । ଚୌଟାଲା କହିଛନ୍ତି, ରାଠିଙ୍କୁ କୌଣସି ପ୍ରକାର ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇନଥିଲା । ଝଜର ଏସପି ଅର୍ପିତ ଜୈନ କହିଛନ୍ତି, ଗୁଳିକାଣ୍ଡ ବାବଦରେ ପୋଲିସ ଅବଗତ ଅଛି । ସିଆଇଏ ଏବଂ ଏସଟିଏଫ୍ ଟିମ୍ ତଦନ୍ତ କରୁଛନ୍ତି । ଖୁବଶୀଘ୍ର ଅଭିଯୁକ୍ତ ଗିରଫ ହେବେ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡା ରାଠିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଏବଂ ରାଜ୍ୟର ଆଇନ ଶୃଂଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି ।