ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ମନୋହର । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନେଇପାରେ ବଡ ନିଷ୍ପତ୍ତି ।

310

କନକ ବ୍ୟୁରୋ : ହରିୟାଣା ରାଜନୀତିରେ ବଡ ଧରଣର ହଲଚଲ । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ସଞ୍ଜୟ ଭାଟିଆ କିମ୍ବା ନାଏବ ସୈନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ।

ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି । ହରିୟାଣାର ବିଜେପି ପ୍ରଭାରୀ ଦାୟିତ୍ୱରେ ଥିବା ବିପ୍ଳବ ଦେବ ମଧ୍ୟ ଏହା ମଧ୍ୟରେ ଚଣ୍ଡିଗଡରେ ପହଞ୍ଚିଛନ୍ତି ।

୨୦୨୪ ନଭେମ୍ବରରେ ହରିୟାଣା ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି ।ହରିୟାଣାରେ ବିଜେପି ଓ ଜେଜେପି ମେଣ୍ଟ ସରକାର ରହିଛି । ୨୦୧୯ରେ ୯୦ ଆସନରୁ ୪୦ ଆସନ ଜିତିଥିଲା ବିଜେପି । କିନ୍ତୁ ସରକାର ଗଢିବାକୁ ମ୍ୟାଜିକ ନମ୍ବର ହାସଲ କରିପାରିନଥିଲା । ତେଣୁ ଜେଜେପି ସହ ମେଣ୍ଟ କରି ହରିୟାଣାରେ ସରକାର ଗଢିଥିଲା ବିଜେପି । ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ମନୋହରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ନିଷ୍ପତ୍ତି ନେଉଥିବା ଚର୍ଚ୍ଚା ହେଉଛି ।