ଖଟ୍ଟର ଦେଲେ ଇସ୍ତଫା, ନାୟବ ସିଂହ ସୈନୀ ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ, କେତେ ସମ୍ପତ୍ତିର ମାଲିକ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ?

137

କନକ ବ୍ୟୁରୋ: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନାୟବ ସିଂହ ସୈନୀ । ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ, ବିଧାୟକ ଦଳ ବୈଠକରେ ସୈନୀଙ୍କୁ ନେତା ଚୟନ କରାଯାଇଛି । ମଙ୍ଗଳବାର ଅପରାହ୍ନରେ ସେ ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ବୋଲି ଜଣାପଡିଛି । ତେବେ ବର୍ତ୍ତମାନ କୁରୁକ୍ଷେତ୍ର ଲୋକସଭା କ୍ଷେତ୍ରରୁ ସାଂସଦ ରହିଛନ୍ତି ସୈନୀ । ଏହା ପୂର୍ବରୁ ସେ ୨୦୧୪ରେ ନାରାୟଣଗଡ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହେଇତିଲେ, ଖାଲି ସେତିକି ନୁହେଁ ୨୦୧୬ରେ ତାଙ୍କୁ ମନ୍ତ୍ରୀ ପଦ ମଧ୍ୟ ମିଳିଥିଲା । ଆଉ ଏବେ ସେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ନାୟବ ସିଂହ ସୈନୀଙ୍କ ସମ୍ପତ୍ତି କେତେ?

ନାୟବ ସିଂହ ସୈନୀ ଦୀର୍ଘ ଦିନ ଧରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ଜଡିତ । ମିଳିଥିବା ସୂଚନା ମୁତାବକ, ସେ ଜଣେ କୋଟିପତି । ୨୦୧୯ ଲୋକସଭା ନିର୍ବାଚନ ସମୟରେ ସେ ଦାଖଲ କରିଥିବା ଘୋଷଣାପତ୍ର ଅନୁସାରେ, ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୩ କୋଟି ୫୭ ଲକ୍ଷ ୮୫ ହଜାର ୬୨୧ ଟଙ୍କା । ତାଙ୍କ ଉପରେ ୫୭ ଲକ୍ଷ ୩୪ ହଜାର ୮୭୮ ଟଙ୍କାର ଋଣ ମଧ୍ୟ ରହିଛି । ତାଙ୍କ ନାଁରେ ଦୁଇଟି କାର ରହିଥିବା ନେଇ ସେ ସୂଚନା ଦେଇଛନ୍ତି ।

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମରେ ଯେଉଁ ଘର ରହିଛି, ତାହା ମଧ୍ୟ ବେଶ ମୂଲ୍ୟବାନ । ମିଳିଥିବା ସୂଚନା ମୁତାବକ, ତାଙ୍କ ନାମରେ ପଞ୍ଚକୁଲା ଏବଂ ଅମ୍ବାଲାରେ ଦୁଇଟି ଘର ରହିଛି । ୨୦୧୯ର ଘୋଷଣାପତ୍ର ଅନୁସାରେ, ଏହାର ମୂଲ୍ୟ ପାଖାପାଖି ଅଢେଇ କୋଟି ଟଙ୍କା । ଏହାସହିତ ନାୟବ ସିଂହ ସୈନୀଙ୍କର ୩ଟି ଏଲଆଇସିରେ ପାଖାପାଖି ୩ ଲକ୍ଷ ଟଙ୍କାର ନିବେଶ ରହିଛି । ତାଙ୍କ ପାଖରେ ୩୦ ଗ୍ରାମ ସୁନା ସହିତ ୫ ଲକ୍ଷ ୪୦ ହଜାର ଟଙ୍କାର ଅଳଙ୍କାର ରହିଛି । ଏହାବାଦ୍ ନାୟବ ସିଂହଙ୍କ ପାଖରେ ପାଖାପାଖି ୭୦ ହଜାର ଟଙ୍କାର ରୂପା ରହିଛି ।

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି ନାୟବ ସିଂହ ସୈନୀ ଏବଂ ତାଙ୍କ ସ୍ତ୍ରୀଙ୍କ ନାଁରେ ମୋଟ ୭ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ଯେଉଁଥିରେ ୨୦୧୯ ସୁଦ୍ଧା ମୋଟ ୨୪ ଲକ୍ଷ ଟଙ୍କା ରହିଥିଲା । ସେହିପରି ନାୟବ ସିଂହ ସୈନୀଙ୍କ ପାଖରେ ୫୫ ଲକ୍ଷ ଟଙ୍କାର କୃଷି ଉପଯୋଗୀ ଭୂମି ରହିଛି ବୋଲି ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ନାୟବ ସିଂହ ସୈନୀଙ୍କ ଜନ୍ମ ଜାନୁଆରୀ ୨୫ ତାରିଖ ୧୯୭୦ ମସିହାରେ ହେଇଥିଲା । ଅମ୍ବାଲାର ଏକ ଛୋଟ ଗାଁ ମିଜାପୁର ମାଜରାରେ ସେ ଜନ୍ମଗ୍ରହଣ କରିଥିଲେ । ତେବେ ଆଗାମୀ ନିର୍ବାଚନରେ ସିଟ୍ ସେୟାରିଂକୁ ନେଇ ବିଜେପି-ଜେଜେପି ମେଣ୍ଟ ଭାଙ୍ଗିବା ପରେ, ଏବେ ସୈନୀଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି ବିଜେପି ନେତୃତ୍ୱ ।