କନକ ବ୍ୟୁରୋ : ହରିଆଣାରେ ପ୍ରଥମେ କୃଷକ ଆନ୍ଦୋଳନ ଓ ପରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ଏହି ଦୁଇଟି ପ୍ରସଙ୍ଗ ଜାତୀୟ ସ୍ତରରେ ବିଜେପିର ଛବିକୁ ଖରାପ କରିଛି । ହେଲେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହରିଆଣାର ସମସ୍ତ ବର୍ଗର ଭୋଟରଙ୍କୁ ସନ୍ତୋଷ୍ଟ କରିବାକୁ ବିଜେପି ଏକ ନୂଆ ଚାଲ ଖେଳିଛି । ପାର୍ଟି ତରଫରୁ ଶୁକ୍ରବାର ଦିନ ଓବିସି ସମୁଦାୟଙ୍କ ନେତୃତ୍ୱ ନେଉଥିବା ନାଏବ ସିଂ ସୈନୀଙ୍କୁ ରାଜ୍ୟ ଅଧ୍ୟକ୍ଷ ଭାବେ ମନୋନୀତ କରିଛି । ନାଏବ ଏବେ କୁରୁକ୍ଷେତ୍ର ଲୋକସଭା ଆସନରୁ ସାଂସଦ ଅଛନ୍ତି । ସେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଧାୟକ ଥିଲେ ।

Advertisment

ସେପଟେ ନାଏବଙ୍କୁ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କର ଅତି ନିକଟତର ବୋଲି କୁହାଯାଉଛି । ଏହାସହ ଦଳୀୟ ସଂଗଠନ ଉପରେ ନାଏବଙ୍କର ଭଲ ଦଖଲ ରହିଛି । ଅନ୍ୟପଟେ ନାଏବଙ୍କୁ ରାଜ୍ୟ ଅଧ୍ୟକ୍ଷ ଭାବେ ମନୋନୀତ କରିବା ପଛରେ ବିଜେପିର ଅନେକଗୁଡିଏ ଯୋଜନା ରହିଛି । କିଛିଦିନ ହେବ କଂଗ୍ରେସ ଜାତିଗତ ଜନଗଣନାକୁ ନେଇ ଜାତୀୟ ରାଜନୀତି କରୁଛି ଓ ଓବିସି ସମୁଦାୟକୁ ନେଇ ବିଜେପିକୁ ଘେରୁଛି । ହରିଆଣାରେ ବି ଓବିସି ସମୁଦାୟର ବେଶ ଭୋଟ ରହିଛି । ତେଣୁ ନାଏବ ଓବିସି ସମୁଦାୟରୁ ହୋଇଥିବାରୁ କମ୍ ସମୟ ମଧ୍ୟରେ ଓବିସି ସମୁଦାୟର ଭୋଟ ବିଜେପି ସପକ୍ଷରେ ହାତେଇବାକୁ ନାଏବଙ୍କୁ ଏଭଳି ପଦ ଦିଆଯାଇ ଥିବା ଅନୁମାନ କରାଯାଉଛି ।