ଦିଲ୍ଲୀ ପରେ ହରିଆଣାରେ ଗମ୍ଭୀର ହେଉଛି ପ୍ରଦୂଷଣ, ରାଜ୍ୟ ସରକାର ନେଲେ ଏଭଳି ନିଷ୍ପତ୍ତି

57

କନକ ବ୍ୟୁରୋ : ବଢୁଥିବା ପ୍ରଦୁଷଣକୁ ନଜରରେ ରଖି ଦିଲ୍ଲୀ ପରେ ହରିଆଣା ସରକାର ବି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହରିଆଣା ସରକାର ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝାଜ୍ଜର ଜିଲ୍ଲାରେ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ସରକାର ଏନସିଆରର ଏହିସବୁ ଜିଲ୍ଲାର ନିର୍ମାଣ କାର୍ଯ୍ୟକୁ ବି ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ଏନେଇ ହରିଆଣା ସରକାର ଏକ ଗାଇଡଲାଇନ ଜାରି କରିଛନ୍ତି ।

କହିରଖୁ କି ଶନିବାର ଦିନ ଦିଲ୍ଲୀ ସରକାର ପ୍ରଦୂଷଣକୁ ନଜରରେ ରଖି ସୋମବାରରୁ ଆଗାମୀ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରାଜଧାନୀର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବା ସହ କର୍ମଚାରୀମାନଙ୍କୁ ୱାର୍କ ଫ୍ରମ ହୋମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଘରୋଇ କାର୍ଯ୍ୟାଳୟଗୁଡିକୁ ବି ଏଭଳି ନିର୍ଦ୍ଦେଶନାମା ଜାରି କରାଯିବ ବୋଲି କୁହାଯାଇଥିଲା ।

ଏକ ସେର୍ଭେ ରିପୋର୍ଟ ମୁତାବକ ସାରା ବିଶ୍ୱରେ ଦିଲ୍ଲୀ ପ୍ରଦୂଷିତ ସହର ଭାବେ ଗଣନା କରାଯାଇଛି । ଏହାସହ ଦିଲ୍ଲୀରେ ପବନ ଏତେମାତ୍ରାରେ ପ୍ରଦୂଷିତ ହୋଇଛି କି ଦିଲ୍ଲୀ ସରକାର ଲକଡାଉନ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏନେଇ ଦିଲ୍ଲୀ ସରକାର କହିଛନ୍ତି କି ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି । ଏହି ପ୍ରସ୍ତାବକୁ ସରକାର ସୁପ୍ରିମ କୋର୍ଟଙ୍କ ପାଖରେ ରଖାଯିବ । ଏହାସହ କେନ୍ଦ୍ର ସରକାର ସହିତ ସମସ୍ତ ଏଜେନ୍ସି ସହ ଏନେଇ ଆଲୋଚନା କରାଯିବା ପରେ ସ୍ଥାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାପରେ ଦିଲ୍ଲୀ ଭିତରେ ସମସ୍ତ ଘରୋଇ ଯାନ, ନିର୍ମାଣ କାର୍ଯ୍ୟ, ପରିବହନ ଓ ଉଦ୍ୟୋଗିକ ଗତିବିଧିକୁ ବନ୍ଦ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।