କନକ ବ୍ୟୁରୋ: ଅମଳ ସରୁସରୁ ମହଙ୍ଗା ଆଳୁ ଦର । ଭୁବନେଶ୍ୱର ବଜାରରେ ଏବେ ଆଳୁ କିଲୋ ପିଛା ଦର ୨୮ରୁ ୩୦ ଟଙ୍କା ଦେବାକୁ ପଡୁଛି । ଧନିରୁ ଗରିବ ସମସ୍ତଙ୍କ ରୋଷେଇ ଶାଳରେ ଆବଶ୍ୟକ ପଡୁଥିବା ଏହି ପରିବାର ଦର ବୃଦ୍ଧି ଗ୍ରାହକଙ୍କ ପକେଟ୍କୁ ଭାରି ବାଧୁଛି । ନୂଆ ଆଳୁ ବଜାରକୁ ଆସିବା ପରେ ଦର କମିବା କଥା, କିନ୍ତୁ ବାହାର ରାଜ୍ୟରେ ଦର ବଢିଥିବାରୁ ଓଡିଶାରେ ମଧ୍ୟ ବଢୁଥିବା କହିଛି ବଜାର କମିଟି ।

Advertisment

ସେ ତରକାରୀ ହେଉ କି ଭଜା । ରୋଷେଇ ଶାଳରେ ଲୋଡା ହୁଏ ଆଳୁ । ଗରିବ ମଧ୍ୟବିତ ପରିବାରର ଅତି ଦରକାରୀ ପରିବା ଆଳୁ । ବଜାରରେ ଆଳୁ ମହଙ୍ଗା । ଆଳୁର ଦର ବୃଦ୍ଧି ଖାଉଟିଙ୍କ ପକେଟ କାଟୁଛି । ଯେଉଁ ଆଳୁ ପ୍ରାୟ ସପ୍ତାହ ତଳେ କିଲୋକୁ ୨୨ରୁ ୨୪ ଟଙ୍କାରେ ମିଳୁଥିଲା । ସେହି ଆଳୁ ଏବେ କିଲୋ ପିଛା ୨୮ରୁ ୩୦ ଟଙ୍କା ଦରରେ ବିକ୍ରି ହେଉଛି । ମାତ୍ର ୮ ଦିନ ବ୍ୟବଧାନରେ ଟୁଇନ ସିଟି ଭୁବନେଶ୍ୱର ଓ କଟକରେ ଆଳୁର ଦାମ ୬ରୁ ୮ ଟଙ୍କା ବଢି ଯାଇଛି । ରାଜ୍ୟର ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ବଡ କଥା ହେଉଛି, ଏବେ ଆଳୁ ଅମଳ ସରିଛି, ନୂଆ ଆଳୁ ବଜାରକୁ ଆସିଲେ ଦର କମିବା କଥା କିନ୍ତୁ ଓଲଟା ଦର ବଢୁଛି ।

ଓଡିଶାରେ ଆଳୁ ଉତ୍ପାଦନ ଲୋକଙ୍କ ଆବଶ୍ୟକତାଠାରୁ କମ ହୋଇଥାଏ । ଆବଶ୍ୟକତା ପୁରଣ କରିବାକୁ ବାହାର ରାଜ୍ୟରୁ ଆଳୁ ଆମଦାନୀ ହୋଇ ଓଡିଶା ଆସିଥାଏ ।
ଆଳୁ ଚାହିଦା ମେଣ୍ଟାଇବାକୁ ପଡୋଶୀ ଉପରେ ନିର୍ଭରଶୀଳ ଓଡିଶା
ଓଡିଶାରେ ୫% ଆଳୁ ଉତ୍ପାଦନ ହୋଇଥାଏ
୯୫% ଆଳୁ ଆମଦାନୀ ହୋଇ ବାହାର ରାଜ୍ୟରୁ ଆସେ
ଶୀତଳଭଣ୍ଡାର ନଥିବାରୁ ଆଳୁ ନଷ୍ଟ ହେଉଛି
ଚାହିଦା ଅନୁସାରେ ଆଳୁ ଉପଲବ୍ଧ ହେଉନଥିବାରୁ ଦର ବଢୁଛି

ବିଶେଷ କରି ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ଓଡିଶା । ପଶ୍ଚିମବଙ୍ଗରେ ଏବେ ଆଳୁ ଦର ବଢିଥିବାରୁ ଓଡିଶାରେ ମଧ୍ୟ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ଆଳୁ ଏକ ନିହାତି ଆବଶ୍ୟକ ଖାଦ୍ୟ ହୋଇଥିବାରୁ ସରକାର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।