ଦାଉ ସାଧିଛି ଲକଡାଉନ । ବିକ୍ରି ହୋଇ ପାରୁନାହିଁ ଅମଳ କମଳା । ଅଭାବୀ ବିକ୍ରୀର ଶିକାର ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି କମଳା ଚାଷୀ ।

235

କନକ ବ୍ୟୁରୋ : ଦାଉ ସାଧିଛି ଲକଡାଉନ । ବିକ୍ରି ହୋଇ ପାରୁନାହିଁ ଅମଳ କମଳା । ଅଭାବୀ ବିକ୍ରୀର ଶିକାର ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଦେବଗଡ ଜିଲାର କମଳା ଚାଷୀ । ଦେବଗଡ ଜିଲା ରିଆମାଳ ବ୍ଲକର ତିନୋଟି ପଂଚାୟତରେ ଉନ୍ନତ ମାନର କମଳା ଚାଷ ହୋଇଛି । ପର୍ଯ୍ୟାପ୍ତ ପରିମାଣର କମଳା ଅମଳ ମଧ୍ୟ ହେଉଛନ୍ତି ।

ଏହି ଅଂଚଳରୁ ଉତ୍ପାଦିତ କମଳାର ଚାହିଦା ରହିଥିବାରୁ ପ୍ରତ୍ୟେକ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବେପାରୀମାନେ ଆସି ଭଲ ଦରରେ ଏଠାରୁ କମଳା ସଂଗ୍ରହ କରିଥାନ୍ତି । ମାତ୍ର ଚଳିତବର୍ଷ କରୋନା ଯୋଗୁଁ ଅଧିକାଂଶ ବେପାରୀମାନେ ଦେବଗଡକୁ ଆସୁନଥିବାରୁ ଚାଷୀମାନେ ଅଭାବୀ ବିକ୍ରୀର ଶିକାର ହେବା ସହ ମୁଣ୍ଡରେ ହାତଦେଇ ବସିଛନ୍ତି ।

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା, ଚଢେଇମରା ଓ ବୁଢାପାଳ ପଂଚାୟତର ପ୍ରାୟ ୧୫ଟି ଗାଁରେ ଉନ୍ନତମାନର କମଳା ଚାଷ ହୋଇଛି । ଆକାର ଓ ସ୍ୱାଦରେ ଭରପୁର ଏହି ଅଂଚଳର କମଳା । ନାଗପୁର କମଳା ଠାରୁ କୌଣସି ଗୁଣରେ କମ ନୁହେଁ ରିଆମାଳ କମଳା । ତେଣୁ ୨୦୧୬ରୁ ଏଠାକାର କମଳାକୁ ‘ଦେବଗଡ ମାଣ୍ଡାରିନ’ କମଳା ମାନରେ ନାମିତ କରିଛନ୍ତି ତକ୍ରାଳୀନ ଜିଲ୍ଲାପାଳ ପୁନମ ଗୁହା ତାପସ କୁମାର ।

ଭୁବନେଶ୍ୱର ଓ କଟକ ସମେତ ପଡୋଶୀ ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ ଓ ଝାରସୁଗୁଡା ଜିଲ୍ଲାରେ ‘ଦେବଗଡ ମାଣ୍ଡାରିନ’ କମଳାର ଚାହିଦା ରହିଛି । ସବୁ ବର୍ଷ ଏସବୁ ଅଂଚଳର ବ୍ୟବସାୟୀ ରିଆମାଳରୁ କିଲୋ ପିଚ୍ଛା ୩୦ରୁ ୪୦ ଟଙ୍କା ଦେଇ ଟ୍ରକ ଟ୍ରକ କମଳା ସଂଗ୍ରହ କରିଥାନ୍ତି । ଆଉ ଚାଷୀ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବ୍ୟବସାୟୀମାନେ ପୂର୍ବଭଳି ଆସୁନଥିବାରୁ କ୍ଷତି ସହୁଛନ୍ତି ଚାଷୀ ।

ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ କମଳା ଉତ୍ପାଦନ ହୋଇଛି । ହେଲେ ଅଧିକ ବେପାରୀ ଆସୁନଥିବାରୁ ଉତ୍ପାଦିତ କମଳା ବିକ୍ରି ହୋଇ ପାରୁନାହିଁ । ଅନ୍ୟପଟେ ଯେଉଁ ହାତ ଗଣତି କେତେକ ବେପାରୀ ବି ଆସୁଛନ୍ତି ସେମାନେ ଖୁବ୍ କମ ଦରରେ କମଳା କିଣୁଛନ୍ତି । କିଲୋ ପିଛା ୩୦-୪୦ ଟଙ୍କା ବଦଳରେ ୧୮ରୁ ୨୦ ଟଙ୍କାରେ କିଣି ନେଉଛନ୍ତି ।

ଅନ୍ୟପଟେ ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ କମଳାକୁ ସାଇତି ରଖି ପାରୁନାହାନ୍ତି ଚାଷୀ । ତେଣୁ କମଳା ସଢି ଯିବା ଭୟରେ ଚାଷୀ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ଦେବଗଡ ରିଆମାଳରେ ଉତ୍ପାଦିତ କମଳାର ବିକ୍ରୀ ପାଇଁ ଜିଲ୍ଲା ପ୍ରଶାସନ ଏବଂ ଉଦ୍ୟାନ ବିଭାଗ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି ।