କୃଷି ସୁଧାର ବିଲକୁ ନେଇ ଏନଡିଏରେ ଫାଟ: ବିରୋଧରେ କ୍ୟାବିନେଟରୁ ଇସ୍ତଫା ଦେଇଥିବା ଅକାଳି ଦଳର ନେତ୍ରୀ ହରିସିମରତ କୌରଙ୍କ ଇସ୍ତଫା ମଞ୍ଜୁର; ନରେନ୍ଦ୍ର ସିଂ ତୋମରଙ୍କୁ ଦିଆଗଲା ଅତିରିକ୍ତ ଦାୟିତ୍ୱ

226

କନକ ବ୍ୟୁରୋ : ଲୋକସଭାରେ କୃଷି ସୁଧାର ବିଲ୍ ପାରିତ ହୋଇଛି । ଏହାକୁ ନେଇ ଏନଡିଏରେ ଦେଖା ଦେଇଛି ଫାଟ । ଏନଡିଏର ସହଯୋଗୀ ପଂଜାବର ଅକାଳୀ ଦଳ ଏହାକୁ ବିରୋଧ କରିଛି । ସେପଟେ ଏହା ଦେଶର କୃଷକମାନଙ୍କ ପାଇଁ ଐତିହାସିକ କ୍ଷଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଟ୍ୱିଟ କରି ମୋଦୀ କହିଛନ୍ତି, ଏଥିରେ କୃଷକମାନେ ଲାଭବାନ ହେବେ ଏବଂ ଦଲାଲରାଜର ଅନ୍ତ ହେବ । କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନକୁ ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ଏହାସହ ପୂର୍ବରୁ ଥିବା ସର୍ବନିମ୍ନ ବିକ୍ରୟ ମୂଲ୍ୟ ବା ଏମଏସପି ଜାରି ରହିବ ଏବଂ ସରକାର କୃଷି ଇତ୍ପାଦ କିଣିବେ ବୋଲି ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ଏହି ବିଲ୍କୁ ନେଇ ମୋଦୀ ସରକାରଙ୍କୁ ଝଟକା ଦେଇଛି ସହଯୋଗୀ ଶିରୋମଣୀ ଅକାଳୀ ଦଳ । କେନ୍ଦ୍ରମନ୍ତ୍ରୀ ପଦରୁ ହର୍ସିମରତ କୌର ବାଦଲ ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ପଂଜାବରେ ଚାଷୀ ଅସନ୍ତୋଷ ତେଜୁଥିବା ବେଳେ ଏପରି ନିଷ୍ପତି ଦେଇଛନ୍ତି ହର୍ସିମରତ କୌର । ଲୋକସଭାରେ ଏହି ବିଲ ଆସିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟରୁ ଓହରି ଯାଇଛନ୍ତି ହର୍ସିମରତ କୌର । ତାଙ୍କ ସ୍ୱାମୀ ତଥା ଅକାଳୀ ଦଳ ମୁଖ୍ୟ ସୁଖବୀର ବାଦଲ କହିଛନ୍ତି, ତାଙ୍କ ଦଳ ସରକାରଙ୍କୁ ବାହାରୁ ସମର୍ଥନ ଯୋଗାଇଦେବ, ହେଲେ କୃଷକ ବିରୋଧୀ ରାଜନୀତିକୁ ବିରୋଧ କରିବ । ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଥିଲେ ଆକାଳୀ ଦଳର ହର୍ସିମରତ କୌର ବାଦଲ ।

ଏବେ ହର୍ସିମରତଙ୍କ ଇସ୍ତଫାକୁ ପ୍ରଧାନମନ୍ତ୍ରୀଙ୍କ ପରେ ରାଷ୍ଟ୍ରପତି ମଧ୍ୟ ସ୍ୱୀକାର କରିଛନ୍ତି । ବର୍ତମାନ ହର୍ସିମରତଙ୍କ ବିଭାଗ ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଅତିରିକ୍ତ ଭାବେ ଦିଆଯାଇଛି । କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଦୁଇଟି ବିଲ୍ ଉପରେ ଗୁରୁତ୍ୱ ଦେଉଛନ୍ତି ମୋଦୀ ସରକାର । ଦି ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ୍ ଆଣ୍ଡ କମର୍ସ ବିଲ ଏବଂ ଫାର୍ମର୍ସ ପ୍ରାଇସ୍ ଆସୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ୍ ବିଲ । ତେବେ ଏହି ଦୁଇ ବିଲକୁ ପଂଜାବ ଓ ହରିୟାଣାରେ କୃଷକମାନଙ୍କ ଭିତରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ସେପଟେ କଂଗ୍ରେସ ଅକାଳି ଦଳକୁ ଆହ୍ୱାନ କରିଛି କ୍ୟାବିନେଟରୁ ଇସ୍ତଫା ନୁହଁ ଯଦି ବିରୋଧ କରୁଛ ତେବେ ଏନଡିଏରୁ ବାହାରକୁ ଆସି କରିକି ଦେଖାଅ ।