କନକ ବ୍ୟୁରୋ: କୃଷି ସୁଧାର ବିଲ୍ ଲୋକସଭାରେ ପାରିତ ହୋଇଛି । ଏହା ଦେଶର କୃଷକମାନଙ୍କ ପାଇଁ ଐତିହାସିକ କ୍ଷଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଟ୍ୱିଟ କରି ମୋଦୀ କହିଛନ୍ତି, ଏଥିରେ କୃଷକମାନେ ଲାଭବାନ ହେବେ ଏବଂ ଦଲାଲରାଜର ଅନ୍ତ ହେବ । କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନକୁ ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ଏହାସହ ପୂର୍ବରୁ ଥିବା ସର୍ବନିମ୍ନ ବିକ୍ରୟ ମୂଲ୍ୟ ବା ଏମଏସପି ଜାରି ରହିବ ଏବଂ ସରକାର କୃଷି ଇତ୍ପାଦ କିଣିବେ ବୋଲି ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ଏହି ବିଲ୍କୁ ନେଇ ମୋଦୀ ସରକାରଙ୍କୁ ଝଟକା ଦେଇଛି ସହଯୋଗୀ ଶିରୋମଣୀ ଅକାଳୀ ଦଳ । କେନ୍ଦ୍ରମନ୍ତ୍ରୀ ପଦରୁ ହରସିମ୍ରତ କୌର ବାଦଲ ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ପଂଜାବରେ ଚାଷୀ ଅସନ୍ତୋଷ ତେଜୁଥିବା ବେଳେ ଏପରି ନିଷ୍ପତି ଦେଇଛନ୍ତି ହରସିମ୍ରତ କୌର ।
ଲୋକସଭାରେ ଏହି ବିଲ ଆସିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟରୁ ଓହରି ଯାଇଛନ୍ତି ହରସିମ୍ରତ କୌର । ତାଙ୍କ ସ୍ୱାମୀ ତଥା ଅକାଳୀ ଦଳ ମୁଖ୍ୟ ସୁଖବୀର ବାଦଲ କହିଛନ୍ତି, ତାଙ୍କ ଦଳ ସରକାରଙ୍କୁ ବାହାରୁ ସମର୍ଥନ ଯୋଗାଇଦେବ, ହେଲେ କୃଷକ ବିରୋଧୀ ରାଜନୀତିକୁ ବିରୋଧ କରିବ । ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଥିଲେ ଆକାଳୀ ଦଳର ହରସିମ୍ରତ କୌର ବାଦଲ । କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଦୁଇଟି ବିଲ୍ ଉପରେ ଗୁରୁତ୍ୱ ଦେଉଛନ୍ତି ମୋଦୀ ସରକାର । ଦି ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ୍ ଆଣ୍ଡ କମର୍ସ ବିଲ ଏବଂ ଫାର୍ମର୍ସ ପ୍ରାଇସ୍ ଆସୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ୍ ବିଲ । ତେବେ ଏହି ଦୁଇ ବିଲକୁ ପଂଜାବ ଓ ହରିୟାଣାରେ କୃଷକମାନଙ୍କ ଭିତରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ଟ୍ୱିଟ୍ କରି ହରସିମ୍ରତ କୌର ବାଦଲ କହିଛନ୍ତି, ସେ ତାଙ୍କ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।