ଭଉଣୀଙ୍କ ମୃତ୍ୟୁରେ ଭାବବିହ୍ୱଳ ହେଲେ ହର୍ଷଲ ପଟେଲ । ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଲେଖିଲେ… ।

723

କନକ ବ୍ୟୁରୋ : ଭଉଣୀଙ୍କ ମୃତ୍ୟୁ ଖବର ପାଇ ବାଙ୍ଗାଲୋରର ଷ୍ଟାର ବୋଲର ହର୍ଷଲ ପଟେଲ ଘରକୁ ଚାଲି ଯାଇଥିଲେ । ତେବେ ଦିଲ୍ଲୀ ବିପକ୍ଷ ମ୍ୟାଚ୍ ପୂର୍ବରୁ ପୁଣିଥରେ ଟିମ ସହ ସାମିଲ ହେବା ପରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିଲେ । ଏହି ମ୍ୟାଚରେ ମଧ୍ୟ ହର୍ଷଲଙ୍କ ଦମଦାର ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି ବିଜୟରେ ବାଙ୍ଗାଲୋରର ପ୍ରଂଶସକଙ୍କ ଠାରୁ ଆରମ୍ଭ କରି ଖେଳାଳୀ ପର୍ଯ୍ୟନ୍ତ ସମସ୍ତେ ଖୁସି ହୋଇଥିଲେ । ତେବେ ଏହି ବିଜୟର ଖୁସି ଭିତରେ ହର୍ଷଲ ନିଜ ଭଉଣୀଙ୍କୁ ନେଇ ଏକ ଭାବବିହ୍ୱଳ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ହର୍ଷଲ ଭଉଣୀଙ୍କୁ ମନେ ପକାଇବା ସହ ଲେଖିଛନ୍ତି, ତୁମେ ଆମ ଜୀବନରେ ସବୁଠୁ ଦୟାଳୁ ଓ ମଜାଳିଆ ମିଜାଜର ମଣିଷ ଥିଲ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତୁମେ କଷ୍ଟ ଭୋଗୁଥିଲେ ମଧ୍ୟ ମୁହଁରୁ କେବେ ହସ ଲିଭିନଥିଲା । ଯେତେବେଳେ ମୁଁ ତୁମ ସହ ହସ୍ପିଟାଲରେ ଥିଲି ସେତେବେଳେ ଖେଳରେ ଧ୍ୟାନ ଦେବାକୁ କହିବା ସହ ଏବାବଦରେ ଚିନ୍ତା ନ କରିବାକୁ କହିଥିଲ । ଆଉ ସେହି ଗୋଟିଏ ପଦ କଥା ପାଇଁ ପୁଣିଥରେ ମୁଁ ପଡିଆକୁ ଫେରିବା ସହ କ୍ରିକେଟ ଖେଳୁଛି । ମୁଁ ସେହି ସବୁ କାର୍ଯ୍ୟ ଜାରି ରଖିବି ଯେଉଁଥିପାଇଁ ମୋତେ ତୁମେ ଗର୍ବିତ ହେବ । ମୁଁ ଜୀବନର ସବୁ ଦୁଃଖ, ସୁଖ, ଭଲ ଓ ମନ୍ଦ ସମୟରେ ତୁମକୁ ମନେ ରଖିବି ।

 

View this post on Instagram

 

A post shared by Harshal Patel (@harshalvp23)

ଚଳିତ ଆଇପିଏଲରେ ମୁମ୍ବାଇ ବିପକ୍ଷ ମ୍ୟାଚ୍ ପରେ ଭଉଣୀଙ୍କ ମୃତ୍ୟୁ ଖବର ପାଇଥିଲେ ହର୍ଷଲ । ଆଉ ଏହାପରେ ତୁରନ୍ତ ନିଜ ଘରକୁ ଫେରିଥିଲେ ହର୍ଷଲ । ଏଭଳି ଏକ ଦୁଃଖଦ ସମୟରେ ପରିବାର ସହ ଛିଡା ହୋଇ ମନୋବଳ ବଢାଇଥିଲେ । ଯେଉଁଥିପାଇଁ ଚେନ୍ନାଇ ବିପକ୍ଷ ମ୍ୟାଚରେ ହର୍ଷଲ ଖେଳିନଥିଲେ । ତେବେ ହସ୍ପିଟାଲରେ ଭଉଣୀଙ୍କୁ ଦେଇଥିବା କଥା ପାଇଁ ପୁଣିଥରେ ପଡିଆକୁ ଫେରିଥିଲେ ହର୍ଷଲ । ଆଉ ଦିଲ୍ଲୀ ବିପକ୍ଷରେ ଦମଦାର ବୋଲିଂ କରି ଦଳକୁ ଦେଇଥିଲେ ଆଉ ଏକ ବଡ ବିଜୟ ଭେଟି ।