ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିବା ପରେ କେନ୍ଦ୍ର ସରକାରଙ୍କ ବଢିଲା ଚିନ୍ତା : ଆଜି ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

243

କନକ ବ୍ୟୁରୋ : ଦେଶରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଜାରି ରହିଛି । ଦୈନିକ ସଂକ୍ରମଣ ୨ ଲକ୍ଷ ଟପିଯିବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢି ଯାଇଛି । ବିଶେଷ କରି ଦେଶର ମୋଟ ସଂକ୍ରମଣରେ ୧୦ଟି ରାଜ୍ୟର ଯୋଗଦାନ ୭୯.୧୦ ପ୍ରତିଶତ ରହିଛି । ମହାରାଷ୍ଟ୍ରରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଉତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ, କର୍ଣ୍ଣାଟକରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ସେହିପରି ମଧ୍ୟ ପ୍ରଦେଶ, ଗୁଜରାଟ, କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ସୋମବାର ଦେଶବ୍ୟାପୀ ଏମ୍ସର ନିର୍ଦ୍ଦେଶକ ମାନଙ୍କ ସହ ମଧ୍ୟ ସେ ଭର୍ଚୁଆଲ ବୈଠକ କରିବେ । ଶୁକ୍ରବାର ଗୋଟିଏ ଦିନରେ ସାରାଦେଶରେ ୨ ଲକ୍ଷ ୧୭ ହାଜରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷରୁ ଅଧିକ ହୋଇଛି ।