ମୁଖ୍ୟମନ୍ତ୍ରୀଙ୍କୁ ‘ହାରୋ’ର ଚିଠି : ଚଳିତ ବର୍ଷର ପର୍ଯ୍ୟଟନ ବଜେଟକୁ ୧୦୦୦ କୋଟିକୁ ବଢ଼ାଇବାକୁ ପ୍ରସ୍ତାବ

143

କନକ ବ୍ୟୁରୋ : ବ୍ରାଣ୍ଡ ଓଡ଼ିଶାର ପ୍ରଚାର ପ୍ରସାର, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରାଜସ୍ବ ଆଦାୟ ବଢ଼ାଇବା ପାଇଁ ଚଳିତ ବର୍ଷର ପର୍ଯ୍ୟଟନ ବଜେଟକୁ ୧୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇବାକୁ ଓଡ଼ିଶା ହୋଟେଲ୍ ଓ ରେସ୍ତୋରାଁ ସଂଘ (ହାରୋ) ପ୍ରସ୍ତାବ ଦେଇଛି। ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖାଯାଇଛି। ଚିଠିରେ ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତି ଜଣାଇଛନ୍ତି ଯେ, ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସବୁ କିଛି ଥିଲେ ମଧ୍ୟ ଦୀର୍ଘ ୩୦ ବର୍ଷ ହେଲାଣି କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣଦେଖା, ଘରୋଇ ପୁଞ୍ଜିନିବେଶର ଅଭାବ ଓ ଅନ୍ୟାନ୍ୟ କାରଣ ଯୋଗୁଁ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ବହୁ ପଛରେ ରହିଯାଇଛି।

ପର୍ଯ୍ୟଟନ କ୍ଷେତ୍ରରେ ‘ଓଡ଼ିଶା’ ବ୍ରାଣ୍ଡର ପ୍ରସାର କରିବା ପାଇଁ ଏହି କ୍ଷେତ୍ର ପ୍ରତି ବିଶେଷ ଗୁରୁତ୍ବ ଦେବାର ସମୟ ଆସିଛି। ରାଜ୍ୟ ସରକାର ବଜେଟ୍ ପରିମାଣ ବଢ଼ାଇଲେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ତ୍ବରାନ୍ବିତ ହୋଇପାରିବ। ଚଳିତ ବର୍ଷ ହୋଟେଲ୍ ଓ ରେସ୍ତୋରାଁ ସଂଘ ପକ୍ଷରୁ ଚିଲିକାକୁ ଏକ ଆନ୍ତର୍ଜାତିକ ଜଳ କ୍ରୀଡ଼ା ହବ୍ ଓ ଶାମୁକା ପ୍ରକଳ୍ପକୁ ବିକଶିତ କରିବା ଉପରେ ଗୁରୁତ୍ବାରୋପ କରାଯିବ। ଏହା ଦ୍ବାରା ରାଜ୍ୟକୁ ବିପୁଳ ପରିମାଣର ପୁଞ୍ଜିନିବେଶ ଆସିବ ଓ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ହାରୋ ପକ୍ଷରୁ କୁହାଯାଇଛି। ରାଜ୍ୟ ପର୍ଯ୍ୟଟନର ବିକାଶକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ନିବେଶକ ଏବଂ ବିଭିନ୍ନ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା ବୈଠକ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏହି ଚିଠି ଜରିଆରେ ଅନୁରୋଧ କରାଯାଇଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଅଧିକ ଆନ୍ତର୍ଜାତିକ ବିମାନର ଉଡ଼ାଣ, ବିଦେଶରେ ରୋଡ୍ ସୋ’ ଆୟୋଜନ, ଅଧିକ ତାରକା ହୋଟେଲ୍ ନିର୍ମାଣ, ଚିଲିକା ଠାରେ ଥିବା ବିଜୁ ପଟ୍ଟନାୟକ ପାର୍କର ବିକାଶ, ଶାମୁକା ବେଳାଭୂମିରେ ଭିତ୍ତିଭୂମିର ବିକାଶ, ହୋଟେଲ୍ ପ୍ରକଳ୍ପ ପାଇଁ ଜମି ବ୍ୟାଙ୍କ ପ୍ରସ୍ତୁତ କରିବା, ହୋଟେଲକୁ ଭିତ୍ତିଭୂମି ଶିଳ୍ପର ମାନ୍ୟତା ପ୍ରଦାନ କରିବା ଏବଂ ଏକ ପର୍ଯ୍ୟଟନ ବିକାଶ ବୋର୍ଡ ଗଠନ କରିବାକୁ ହାରୋ ଦାବି କରିଛି। ନିକଟରେ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର ଲେଖି ବାତ୍ୟା ଫନି ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୩୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଦାବି କରାଯାଇଥିଲା।