କନକ ବ୍ୟୁରୋ : ନିଜର ସୁନ୍ଦରତାକୁ ନେଇ ସାରା ବିଶ୍ୱରୁ ଚର୍ଚ୍ଚା ସାଉଣ୍ଟିଥିବା ବିଶ୍ୱସୁନ୍ଦରୀ ହରନାଜ ସଂଘୁ ଏବେ ଅଡୁଆରେ ପଡିଛନ୍ତି । ଜଣେ ସିନେମା ନିର୍ମାତା ତାଙ୍କ ନାମରେ ଥାନାରେ ମାମଲା ରୁଜୁ କରିଛନ୍ତି । ଫିଲ୍ମ ନିର୍ମାତା ଉପାସନା ସିଂ ହରନାଜଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ମୁତାବକ ସିନେମାର ପ୍ରମୋଶନ କରିବାକୁ ଚୁକ୍ତି କରିବା ପରେ ହରନାଜ ତାଙ୍କୁ ସହଯୋଗ କରୁ ନାହାଁନ୍ତି । ଉପାସନା ଏନେଇ ଚଣ୍ଡିଗଡ ଜିଲ୍ଲା ଅଦାଲତରେ ଏକ ମାମଲା ଦାଖଲ କରିଛନ୍ତି ।

Advertisment

ଉପାସନାଙ୍କ ଅଭିଯୋଗ ମୁତାବକ ହରନାଜ ଚୁକ୍ତି ଖିଲାପ କରିଛନ୍ତି । ଉପାସନା ସିଂଙ୍କ ପଞ୍ଜାବୀ ସିନେମା ‘ବାଇ ଜୀ କୁଟ୍ଟାଙ୍ଗ’ ରେ ହରନାଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ହେଲେ ସିନେମାର ପ୍ରମୋଶନ ପାଇଁ ସେ ଚୁକ୍ତି କରିଥିଲେ ବି ସମୟ ଦେଉ ନଥିବା କଥା କହିଛନ୍ତି ଉପାସନା ।

ଏହି ଫିଲ୍ମ ନିର୍ମାତା କହିଛନ୍ତି କି ହରନାଜ ୨୦୨୧ ମସିହାରେ ସନ୍ତୋଷ ଏଣ୍ଟରଟେନମେଣ୍ଟ ଷ୍ଟୁଡିଓ ଏଲଏଲପି ସହିତ ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ମୁତାବକ ସିନେମାର ପ୍ରମୋଶନ ଓ ପ୍ରଚାର ପାଇଁ ଉପାସନା ସମୟ ଦେବାର ଥିଲା । ହେଲେ ଏବେ ସିନେମାର ପ୍ରମୋଶନ ପାଇଁ ସେ ସମୟ ଦେବାକୁ ରାଜି ହେଉ ନାହାଁନ୍ତି । ଏହି ସିନେମା ପାଇଁ ଉପାସନା ବହୁଗୁଡିଏ ଅର୍ଥ ଖର୍ଚ୍ଚ କରିଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ଏହି କାରଣରୁ ଉପାସନା ମେ ମାସ ୨୭ ତାରିଖରେ ସିନେମାର ରିଲିଜ କରିବାକୁ ଥିବା ବେଳେ ଏହାକୁ ଏବେ ବନ୍ଦ ରଖିଛନ୍ତି । କହିରଖୁ କି ହରନାଜ ସଂଘୁ ୨୦୨୧ ଡିସେମ୍ବର ମାସରେ ଇସ୍ରାଇଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶ୍ୱସୁନ୍ଦରୀ ଭାବେ ମନୋନ୍ନୀତ ହୋଇଥିଲେ ।