କନକ ବ୍ୟୁରୋ: ଆସନ୍ତା ମାସରେ ହେବାକୁ ଥିବା ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ଘୋଷଣା ହେଲା ଭାରତୀୟ ହକି ଦଳ । ଅଲମ୍ପିକ୍ସ ପାଇଁ ବୁଧବାର ୧୬ ଜଣିଆ ହକି ଟିମ୍ ଘୋଷଣା ହେଇଛି । ଦଳର ଅଧିନାୟକ ଭାବେ ଅଲମ୍ପିକ୍ସରେ ଦାୟିତ୍ୱ ସମ୍ଭାଳିବେ ହରମନପ୍ରୀତ ସିଂହ । ଏଥିସହ ହାର୍ଦ୍ଦିକ ସିଂହଙ୍କୁ ଦଳର ଉପ-ଅଧିନାୟକ ନିଯୁକ୍ତ କରାଯାଇଛି । ତେବେ ଘୋଷଣା ହେଇଥିବା ଏହି ଦଳରେ ୫ ଜଣ ଖେଳାଳି ଏମିତି ଅଛନ୍ତି, ଯେଉଁମାନେ କି ପ୍ରଥମ ଥର ପାଇଁ ଅଲମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ତା ସହ ଦଳରେ କିଛି ବରିଷ୍ଠ ସିନିୟର ଖେଳାଳିଙ୍କୁ ମଧ୍ୟ ଜାଗା ଦିଆଯାଇଛି ।

Advertisment

ଦଳରେ ସ୍ଥାନ ପାଇଥିବା ଅନୁଭବୀ ଗୋଲକିପର ପିଆର ଶ୍ରୀଜେଶ ଏବଂ ମିଡ୍ ଫିଲ୍ଡର ମନପ୍ରୀତ ସିଂହ ନିଜର ଚତୁର୍ଥ ଅଲମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ସେହିପରି ଅଧିନାୟକ ହରମନପ୍ରୀତଙ୍କର ମଧ୍ୟ ଏହା ୩ୟ ଅଲମ୍ପିକ୍ସ ହେବ । ଅନ୍ୟପଟେ ପ୍ରଥମ ଥର ପାଇଁ ଅଲମ୍ପିକ୍ସ ଖେଳିବାକୁ ଯାଉଥିବା ଖେଳାଳିଙ୍କ ଭିତରେ ଅଛନ୍ତି ଜରମନପ୍ରୀତ ସିଂହ, ସଞ୍ଜୟ, ରାଜକୁମାର ପାଲ, ଅଭିଷେକ ଏବଂ ସୁଖଜିତ ସିଂହ ।

ତେବେ ୪୧ ବର୍ଷ ପରେ ଟୋକିଓରେ ଅଲମ୍ପିକ୍ସରେ ଜିତିବା ପରେ ଭାରତୀୟ ହକି ଟିମର ଡିଫେଣ୍ଡର ରୁପିନ୍ଦରପାଲ ସିଂହ ଏବଂ ବୀରେନ୍ଦ୍ର ଲାକ୍ରା ଅବସର ନେଇସାରିଛନ୍ତି । ଆଉ ତା ସହ ସୁରେନ୍ଦର କୁମାର ଦଳରୁ ବାହାରେ ଅଛନ୍ତି । ସେହିପରି ଟୋକିଓ ଅଲମ୍ପିକ୍ସରେ ଟିମରେ ଥିବା ନୀଳକାନ୍ତ ଶର୍ମାଙ୍କୁ ଏଥର ମୁଖ୍ୟ ଟିମରେ ରଖାଯାଇନାହିଁ । ତା ସହ ଦିଲପ୍ରୀତ ସିଂହଙ୍କୁ ମଧ୍ୟ ମୌକା ଏଥର ଦଳରେ ସୁଯୋଗ ମିଳିନି । ସୂଚନାଯୋଗ୍ୟ ଯେ, ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଥିଲା ଭାରତୀୟ ହକି ଟିମ୍ ଏଥର ବେଲଜିୟମ୍, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ ଏବଂ ଆର୍ୟଲ୍ୟାଣ୍ଡ ସହିତ ପୁଲ୍ ବିରେ ରହିଛି ।

ଭାରତୀୟ ହକି ଦଳ 

ଗୋଲକିପର: ପିଆର ଶ୍ରୀଜେଶ

ଡିଫେଣ୍ଡର: ଜରମନପ୍ରୀତ ସିଂ, ଅମିତ ରୋହିଦାସ, ହରମାନପ୍ରୀତ ସିଂ, ସୁମିତ, ସଞ୍ଜୟ

ମିଡଫିଲ୍ଡର: ରାଜକୁମାର ପାଲ, ଶ୍ୟାମଶର ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ

ଫରଓ୍ୱାର୍ଡ: ଅଭିଷେକ, ସୁଖଜିତ ସିଂ, ଲଲିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଗୁରୁଜନ୍ତ ସିଂ

ବିକଳ୍ପ ଖେଳାଳି: ନୀଲକାନ୍ତ ଶର୍ମା, ଯୁଗରାଜ ସିଂ, କୃଷ୍ଣ ବାହାଦୂର ପଠକ