ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ଲୁଟିନେଲେ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ: ପୁରୀ ବ୍ରହ୍ମଗିରି ବ୍ଲକରୁ ଆସିଲା ଅଭାବନୀୟ ଖବର

113

କନକ ବ୍ୟୁରୋ: ମୃତ ଲୋକଙ୍କୁ ମିଳୁନି ହରିଶ୍ଚନ୍ଦ୍ର ଯୋଜନା । କିନ୍ତୁ ବଂଚିଥିବା ଲୋକଙ୍କୁ ମୃତ ଦର୍ଶାଇ ଉଠାଯାଇଛି ଲକ୍ଷ ଲକ୍ଷ ଟଙ୍କା । ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ଲୋକଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ସ୍ଥାନୀୟ ସରପଂଚ ଜାଲିଆତି କରି ଅର୍ଥ ହଡ଼ପ କରିଥିବାର ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରୁ ଏଭଳି ଅଭିଯୋଗ ଆସିଛି । ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ସ୍ଥାନୀୟ ବିଡ଼ିଓ ।

ଯଦି ଏହି ଘଟଣାର ସତ୍ୟତା ଥାଏ, ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡ଼ିଓ ସୁଚନା ଦେଇଛନ୍ତି । ୨୦ ଜଣ ହିତାଧିକାରୀଙ୍କ ନାଁରେ ୨ ହଜାର ଟଙ୍କା ଲେଖାଏଁ ୪୦ ହଜାର ଟଙ୍କା ଉଠାଯାଇଛି । ତତକାଳୀନ ପଂଚାୟତ କାର୍ଯ୍ୟନୁର୍ବାହୀ ଅଧିକାରୀ ରବିନ୍ଦ୍ର ବେହେରା ଓ ସରପଂଚ କେଦାର ପ୍ରଧାନଙ୍କ ବିରୁଦ୍ଧରେ ଏଭଳି ଜନକଲ୍ୟଣକାରୀ ଯୋଜନାରେ ଅର୍ଥ ହରିଲୁଟର ଅଭିଯୋଗ ଆସିଛି । ବ୍ରହ୍ମଗିରି ଆମ୍ବପଡ଼ା ପଂଚାୟତରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ ।

ସେମାନଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ମିଳିନଥିବା ବେଳେ ରିପୋର୍ଟ ଅନୁଯାଇ ପଂଚାୟତ ହରିଶ୍ଚନ୍ଦ୍ର ଆକାଉଂଟରୁ ୨୦୧୯ ଜାନୁଆରୀ ୨୧ରେ ୪୦ ହଜାର ଟଙ୍କା ଉଠାଯାଇଛି । ମିଥ୍ୟ କାଗଜପତ୍ର କରି ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି । ସୂଚନା ଅଧୀକାର ତଥ୍ୟ ଅନୁସାରେ ରେଣ୍ଢା ଗାଁର ନୟନା ବେୱା ୨୦୨୧ ଫେବୃଆରୀରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ଜାଲିଆତି କରି ୨୦୧୯ରେ ତାଙ୍କୁ ମୃତ ଦର୍ଶାଇ ହିତାଧୀକାରୀ ଆଲୋକ ଜେନା ଟଙ୍କା ହଡ଼ପ କରିଛନ୍ତି । ସେହିଭଳି ଅନେକ ଲୋକଙ୍କ ନାଁରେ ଏଭଳି ଜାଲିଆତି ହୋଇଥିବା ସାଂଘାତିକ ଅଭିଯୋଗ ଆସିଛି ।