ସୁପ୍ରିମକୋର୍ଟଙ୍କ କୋଭିଡ ମାମଲାର ଶୁଣାଣି । ଓହରିଗଲେ ‘ଆମିକସ୍ କ୍ୟୁରି’ ନିଯୁକ୍ତ ହରିଶ ସାଲଭେ

177

କନକ ବ୍ୟୁରୋ : ଭାରତରେ କୋଭିଡ-୧୯ ସଂକଟର ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଭୁମିକାକୁ ନେଇ ଜନସ୍ୱାର୍ଥ ମାମଲାର ଶୁଣାଣିରେ କୋର୍ଟଙ୍କୁ ସହଯୋଗ କରିବା ନିମନ୍ତେ ‘ଆମିକସ୍ କ୍ୟୁରି’ ଭାବେ ନିଯୁକ୍ତ ଆଡ୍ଭୋକେଟ୍ ହରିଶ ସାଲଭେ ଏଥିରୁ ଓହରିଯିବାକୁ ନିବେଦନ କରିଛନ୍ତି ।

ସେ ତାଙ୍କ ଆବେଦନରେ କହିଛନ୍ତି କି କୋର୍ଟ ଶୁଣାଣି କରିବାକୁ ଯାଉଥିବା ଏହି ମାମଲା ସ୍ପର୍ଶକାତର ମାମଲାଗୁଡିକ ଭିତରୁ ଅନ୍ୟତମ । ଦେଶ ଏବେ କରୋନା ସଂକ୍ରମଣକୁ ନେଇ ଉଦବେଗଜନକ ସ୍ଥିତିରେ ରହିଛି । ପୂର୍ବରୁ କେବେ ବି କୋର୍ଟ ଏଭଳି ସ୍ପର୍ଶକାତର ମାମଲାର ପରିଚାଳନା କରି ନ ଥିବେ । ମୁଖ୍ୟ ବିଚାରପତିଙ୍କ ସହ ମୋର ସଂପର୍କ ଥିବାରୁ ମୋତେ ‘ଆମିକସ୍ କ୍ୟୁରି’ ଭାବେ ନିଯୁକ୍ତି ମିଳିଛି । ହେଲେ ଏଭଳି ଗୁରୁତ୍ୱହୀନ ନିଯୁକ୍ତି ଗ୍ରହଣ କରିବାକୁ ସେ ପ୍ରସ୍ତୁତ ନଥିବା କଥା କହିଛନ୍ତି ।

କହିରଖୁ କି ହରିଶ୍ ଙ୍କୁ ‘ଆମିକସ୍ କ୍ୟୁରି’ ଭାବେ ନିଯୁକ୍ତି ମିଳିବା ପ୍ରସଙ୍ଗକୁ ନେଇ ବିରୋଧୀ ଦଳମାନେ ଆପତ୍ତି ଉଠାଇଥିଲେ । ହେଲେ ପ୍ରଧାନ ବିଚାରପତି କହିଥିଲେ କି ସାଲଭେଙ୍କୁ ନିଯୁକ୍ତ କରିବା ଖଣ୍ଡପୀଠଙ୍କର ସାମୁହିକ ନିଷ୍ପତ୍ତି ଥିଲା ।

ଅନ୍ୟପଟେ ତାଙ୍କ ନିଯୁକ୍ତିକୁ ନେଇ ଅଯଥା ଅଭିଯୋଗ ଆସୁଥିବାରୁ ଏହାକୁ ଏଡାଇବାକୁ ‘ଆମିକସ୍ କ୍ୟୁରି’ ପଦବୀର ଓହରି ଯିବାକୁ ସାଲଭେ ଅଦାଲତଙ୍କ ଅନୁମତି ମାଗିଥିଲେ । ଅନ୍ୟପଟେ ମୁଖ୍ୟ ବିଚାରପତି ଏସ୍ ଏ ବୋବଡେ କହିଛନ୍ତି କି ଏବେ ଆମେ ଚିହ୍ନି ନଥିବା ଜଣେ ଆଡ୍ଭୋକେଟଙ୍କୁ ‘ଆମିକସ୍ କ୍ୟୁରି’ ଭାବେ ନିଯୁକ୍ତ କରିବାକୁ ସନ୍ଧାନ ନେବୁ । ସେପଟେ ଆସନ୍ତା ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି ।