ଆଲୋକର ପର୍ବ ଦୀପାବଳିରେ କନକ ନ୍ୟୁଜର ନିଆରା ପ୍ରୟାସ : ବାଣ ବଦଳରେ ହସ ଫୁଟାଇବାକୁ ଆଗେଇ ଆସିଲେ ହାସ୍ୟ ଅଭିନେତା ହରିହର
କନକ ବ୍ୟୁରୋ : ବୟସ କମ କିନ୍ତୁ ଚିନ୍ତାଧାରା ବହୁତ ଉଚ୍ଚକୋଟିର । ବାପାଙ୍କ ସ୍ନେହ ମିଳିନି, ଅଭାବ ଅନାଟନ ଭିତରେ ଭଲ ମଣିଷ ହେବାର ସ୍ୱପ୍ନ ଦେଖୁଛନ୍ତି । ଏ ହେଉଛନ୍ତି ରାଜେନ୍ଦ୍ର ମହାରଣା, ପାଠ ପଢନ୍ତି ୮ଶ୍ରେଣୀରେ । ଛୋଟ ପିଲାଟି ହେଲେ ବି ଆଖିରେ ଆଖିଏ ସ୍ୱପ୍ନ । ବସ୍ତିରେ ଜେଜେ ମାଆ, ଜେଜେ ବାପାଙ୍କ ସହିତ ରୁହନ୍ତି । ବାପା ଘର ଛାଡିଦେଇ ଚାଲିଗଲା ପରେ ରାଜେନ୍ଦ୍ରଙ୍କ ମୁହଁକୁ ଚାହିଁ ବଂଚିଛନ୍ତି ମାଆ ମମତା । ମମତା କୁହନ୍ତି, ଯେତେ କଷ୍ଟହେଲେ ବି ରାଜେନ୍ଦ୍ର ପାଠ ପଢି ଭଲମଣିଷ ହେବ । ତେବେ ଅଭାବ ଅନାଟନ ଭିତରେ ତ କଷ୍ଟରେ ଚଳେ ଏ ପରିବାର । ଆଗକୁ ଦୀପାବଳି ଥିବାବେଳେ, ରାଜେନ୍ଦ୍ର କିନ୍ତୁ କୁହେ, ତା’ର କିଛି ଦରକାର ନାହିଁ । ଅତି ଅଳ୍ପ ବୟସରୁ ଘରର ଅବସ୍ଥାକୁ ଭଲ ଭାବେ ବୁଝିପାରିଛି ରାଜେନ୍ଦ୍ର ।
Kanak News is now on WhatsApp
Join and get latest news updates delivered to you via WhatsApp
ବାଣ ନୁହେଁ ହସ ଫୁଟାଇବା ଅଭିଯାନରେ ଏହି ପରିବାର ସହ ଖୁସି ବାଂଟିବାକୁ ଢେର ସାରା ଉପହାର କିଣି ରାଜେନ୍ଦ୍ରଙ୍କ ଘରେ ପହଁଚିଥିଲେ ଓଲିଉଡ ଜଗତର କମେଡି କିଙ୍ଗ୍ ହରିହର ମହାପାତ୍ର । ବାସ୍ ହରିଙ୍କୁ ଦେଖି ବହୁତ ଖୁସି ହୋଇଗଲେ ଏହି ପରିବାର । ସେପଟେ କିଛି ସମୟ ପାଇଁ ତାଙ୍କ ଘର ନିକଟରେ ବେଶ ଭିଡ ବି ଜମିଥିଲା ପାଖ ପଡୋଶୀଙ୍କର । ପିଲାଠୁ ବୁଢା ସମସ୍ତେ ହରିଙ୍କ ସହ ସେଲ୍ଫି ନେବାରେ ବ୍ୟସ୍ତ । ବେଶ ହସଖୁସିରେ କଟିଥିଲା ସମୟ ।
ଏହି ପରିବାର ମୁହଁରେ ହସ ଫୁଟିଛି । ଦୁଃଖରେ ଦିନ କାଟୁଥିବା ଏମିତି ଅନେକ ପରିବାର ଅଛନ୍ତି ଏମିତି ଏକ ମୁହୂର୍ତ୍ତ ଅପେଷାରେ ।