ଟ୍ରେନ୍ ଅପେକ୍ଷାରେ ତୁଳସୀକ୍ଷେତ୍ର ! କେନ୍ଦ୍ରାପଡ଼ା ମାଟିକୁ ଆସନ୍ତା ସେପ୍ଟେମ୍ବରରେ ସ୍ପର୍ଶ କରିବ ଟ୍ରେନ୍, ତୁରନ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

169

କନକ ବ୍ୟୁରୋ: ଇଞ୍ଜିନ୍ ପରେ ଏବେ ତୁଳସୀକ୍ଷେତ୍ରକୁ ଗଡ଼ିବ ଟ୍ରେନ୍ । ସେପ୍ଟେମ୍ବର ସୁଦ୍ଧା ହରିଦାସପୁରରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ରେଳ ପ୍ରକଳ୍ପ ଯୋଗାଯୋଗ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ହରିଦାସପୁର-ପାରାଦୀପ ରେଳ ଲାଇନ୍ ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା କରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ହରିଦାସପୁରରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ୪୭ କିଲୋମିଟର ରେଳ ଲାଇନ୍ ନିର୍ମାଣ କ୍ଷେତ୍ରରେ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ରେଳ ଲାଇନରେ ପରୀକ୍ଷାମୂଳକଭାବେ ଏକ ଟାୱର କାର ମଧ୍ୟ ସଫଳ ଭାବରେ ଚାଲିଛି । ରେଳ ଲାଇନର ସମସ୍ତ ସ୍ଥାନରେ ନିରବିଚ୍ଛିନ୍ନ ଭାବେ କାମ ଜାରି ରଖିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଆସନ୍ତା ସେପ୍ଟେମ୍ବର ସୁଦ୍ଧା କେନ୍ଦ୍ରାପଡ଼ାର ସମସ୍ତ ବିଦ୍ୟୁତ୍ ସବଷ୍ଟେସନର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଓପିଟିସିଏଲକୁ ଶକ୍ତି ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଦ୍ୱାରା ରେଳ ଲାଇନ୍ ସମ୍ପୂର୍ଣ୍ଣ ହେବାର ପ୍ରଥମ ଦିନରୁ ହିଁ ଇଲେକଟ୍ରିକ୍ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ ।

ଦୀର୍ଘଦିନ ଧରି ଅପେକ୍ଷାରେ ଥିବା ତୁଳସୀକ୍ଷେତ୍ରବାସୀଙ୍କ ସ୍ୱପ୍ନକୁ ଖୁବ୍ ଶୀଘ୍ର ସାକାର କରିବା ପାଇଁ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ମଧ୍ୟ ଏହି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ରେଳ ଲାଇନରେ ପାସେଞ୍ଜର ଟ୍ରେନ୍ ଯାତାୟତ କରିବା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପ୍ରାଥମିକ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ରେଳ ଲାଇନ ନିର୍ମାଣ ଦ୍ୱାରା କେନ୍ଦ୍ରାପଡ଼ାବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହୋଇପାରିବ ଏବଂ କେନ୍ଦ୍ରାପଡ଼ାକୁ ପ୍ରଥମ ଥର ପାଇଁ ରେଳ ଯୋଗାଯୋଗ ବ୍ୟବସ୍ଥା ହୋଇପାରିବ ।