ଭୁବନେଶ୍ବର ହକି ବିଶ୍ବକପରେ ହରେନ୍ଦ୍ର ସିଂହ ଭାରତୀୟ ହକି ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ। ତାଙ୍କ ମାର୍ଗଦର୍ଶନରେ ଭାରତ ୧୯୭୫ ମସିହା ପରେ ପ୍ରଥମ ଥର ପାଇଁ ଶ୍ରେଷ୍ଠ ତିନି ସ୍ଥାନରେ ରହିବାକୁ ଉଦ୍ୟମ କରିବ। ଜଣେ ଦକ୍ଷ ପ୍ରଶିକ୍ଷକ ଭାବେ ହରେନ୍ଦ୍ରଙ୍କର ଢେର ସୁନାମ ରହିଛି। ସେ ମଧ୍ୟ ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷକ ରହି ସାରିଛନ୍ତି। ବିହାରର ଛପ୍ରା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ହରେନ୍ଦ୍ର ଜଣେ ହାଫ୍ ବ୍ୟାକ୍ ଭାବେ ଇଫକୋ ଟୋକିଓ ହକି ଦଳରେ ନିଜ ଖେଳାଳି ଜୀବନ ଆରମ୍ଭ କରିଥିଲେ। ଏହା ପରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏୟାର ଇଣ୍ଡିଆରେ ଯୋଗଦେଇଥିଲେ।

Advertisment

publive-image୧୯୯୦ ବେଜିଂ ଏସୀୟ କ୍ରୀଡ଼ାରେ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେହି ଏସୀୟ କ୍ରୀଡ଼ାରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା। ହରେନ୍ଦ୍ର ଭାରତ ପକ୍ଷରୁ ୪୩ ମ୍ୟାଚ୍ ଖେଳିଥିଲେ। ତେବେ ଭାରତୀୟ ହକିରେ ସେତେବେଳେ ଚାଲିଥିବା ରାଜନୀତିରେ ଅତିଷ୍ଠ ହୋଇ ମାତ୍ର ୨୬ ବର୍ଷ ବୟସରେ ଅବସର ଘୋଷଣା କରିଥିଲେ। ଅବସର ପରେ ସେ ପ୍ରଶିକ୍ଷଣ ଉପରେ ଧ୍ୟାନ ଦେଇଥିଲେ। ୧୯୯୫ରେ ହରେନ୍ଦ୍ର ଫ୍ରାନ୍ସ କ୍ଲବ୍ ଏଚସି ଲିୟନର କନିଷ୍ଠ ଦଳ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ। ଫ୍ରାନ୍ସରେ କିଛି ବର୍ଷ କଟାଇବା ପରେ ଭାରତ ଫେରି ହରେନ୍ଦ୍ର ଏକାଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ସଫଳତାର ସହ ତୁଲାଇଥିଲେ।

publive-image୨୦୦୦ ଅଲିମ୍ପିକ୍ସ, ୨୦୦୫ ପୁରୁଷ କନିଷ୍ଠ ବିଶ୍ବକପ୍, ୨୦୦୬ ପୁରୁଷ ବିଶ୍ବକପ୍, ୨୦୦୬ ଏସୀୟ କ୍ରୀଡ଼ା, ୨୦୦୯ ଏସିଆ କପ୍, ୨୦୧୦ ବିଶ୍ବକପରେ ସେ ଭାରତୀୟ ପ୍ରଶିକ୍ଷକ ମଣ୍ଡଳିର ସଦସ୍ୟ ଥିଲେ। ୨୦୧୨ରେ ତାଙ୍କୁ ଦ୍ରୋଣାଚାର‌୍ୟ୍ୟ ପୁରସ୍କାର ମିଳିଥିଲା। ୨୦୧୪ରେ ହରେନ୍ଦ୍ର ଭାରତୀୟ କନିଷ୍ଠ ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ। ଭାରତ ସେଥର ବିଶ୍ବ ବିଜୟୀ ହୋଇଥିଲା। ୨୦୧୭ରେ ସେ ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ପଦରେ ଅବସ୍ଥାପିତ ହୋଇଥିଲେ। ସେହିବର୍ଷ ଭାରତୀୟ ମହିଳା ଦଳ ଏସିଆ କପ୍ ଜିତିଥିଲା। ଚଳିତ ବର୍ଷ ମେ ମାସରେ ଜୋଏର୍ଡ ମାରିନଙ୍କ ସ୍ଥାନରେ ତାଙ୍କୁ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଥିଲା ହକି ଇଣ୍ଡିଆ। ୨୦୦୮ ମସିହା ପରେ ଭାରତୀୟ ହକି ଦଳର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ହେବାର ସେ ପ୍ରଥମ ଭାରତୀୟ ହୋଇଥିଲେ। ଏହା ପୂର୍ବରୁ ସେ ତିନି ଥର ଭାରତୀୟ ହକି ଦଳର କାମଚଳା ପ୍ରଶିକ୍ଷକ ପଦରେ ଥିଲେ।