କନକ ବ୍ୟୁରୋ : ଧାମନଗର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବାବା ହରେକୃଷ୍ଣ ସେଠୀଙ୍କୁ ଧାମନଗର ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ ଦଳ । ରାଜ୍ୟ ନେତୃତ୍ୱ ହରେକୃଷ୍ଣଙ୍କ ନାଁ ସୁପାରିଶ କରିଥିବା ବେଳେ ଏଥିରେ ମୋହର ମାରିଛନ୍ତି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପ୍ରାର୍ଥୀ ଘୋଷଣା ସହ ଧାମନଗର ଉପ-ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛି କଂଗ୍ରେସ । ଏପରିକି ଦଳ ଏଥର ସଙ୍ଗଠିତ ହୋଇ ଲଢିବ ବୋଲି କଂଗ୍ରେସ ନେତୃତ୍ୱ କହି ଆସୁଛନ୍ତି ।

Advertisment

ଏହାପୂର୍ବରୁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଥିଲା । ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି ଦଳ । ଏପରିକି ସୂରଜ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଥିବା ବେଳେ ମୋଦୀଙ୍କ ଲୋକପ୍ରିୟତା ଓ ଜନକଲ୍ୟାଣକାରୀ ଯୋଜନା ପାଇଁ ଧାମନଗରବାସୀ ବିଜେପି ସପକ୍ଷରେ ଭୋଟ କରିବେ ବୋଲି କହିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ମୈଦାନକୁ ଓହ୍ଲାଇ ସାରିଥିବା ବେଳେ ବିଜେଡିର ପ୍ରାର୍ଥୀ ଚୟନ ଅଙ୍କ ଏଯାଏଁ ଛିଣ୍ଡୁନି । ଦଳ କାହାକୁ ଏଠାରେ ପ୍ରାର୍ଥୀ କରିବ ତାହାକୁ ନେଇ ଏବେ ବି ଦ୍ୱନ୍ଦ୍ୱରେ ରହିଛି । ବିଜୟ ସୁନିଶ୍ଚିତ ଥିବା ନେତାଙ୍କୁ ଦଳ ପ୍ରାର୍ଥୀ କରିବାକୁ ଚାହୁଁଥିବା ବେଳେ ଆଶାୟୀଙ୍କର ଲମ୍ବା ତାଲିକା ବିଜେଡି ନେତୃତ୍ୱଙ୍କୁ ଅଡୁଆରେ ପକାଇଛି । ତେବେ ଖୁବଶୀଘ୍ର ବିଜେଡି ପକ୍ଷରୁ ଧାମନଗର ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି କହିଛନ୍ତି ଦଳୀୟ ନେତା । ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପ-ନିର୍ବାଚନ ପାଇଁ ପଡିବ ଭୋଟ ।