ରାଜନୀତିକୁ ଫେରିଲା ଚପଲ ଓ ଚାପୁଡା ମାଡ ! ଗୁଜୁରାଟରେ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡା ମାଡ, ସେପଟେ ଦିଲ୍ଲୀରେ ଜିଭିଏଲ ନରସିଂହା ରାଓଙ୍କୁ ଜୋତା ଫିଙ୍ଗିଥିଲେ ଯୁବକ ।

128

କନକ ବ୍ୟୁରୋ : ରାଜନୀତିକୁ ପୁଣି ଫେରିଛି ଜୋତା ଓ ଚାପୁଡା ମାଡ କାଣ୍ଡ । ଲଗାତାର ଦୁଇ ଦିନ ଭିତରେ ଦେଖିବାକୁ ମିଳିଛି ଏଭଳି ଦୁଇଟି ଘଟଣା । ଆଜି ଗୁଜରାଟର ସୁରଜନଗର ବଡଗାମରେ ଆୟୋଜିକ କଂଗ୍ରେସ ଜନଆକ୍ରୋଶ ସଭାରେ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ଆକ୍ରମଣ କରିଛନ୍ତି ତରୁଣ ଗଜ୍ଜନ ନାମକ ବ୍ୟକ୍ତି । ସେହିପରି ଗତକାଲି ବିଜେପି ନେତା ଜିଭିଏଲ ନରସିଂହାଙ୍କ ଉପରକୁ ଜୋତାମାଡ କରିଥିଲେ ଶକ୍ତି ଭାଗର୍ବ ନାମକ ଜଣେ ବ୍ୟକ୍ତି । ଯାହା ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।

ରାଜନୀତିକୁ ଫେରିଲା ଚାପୁଡା ଓ ଚପଲ । କଂଗ୍ରେସ ପାର୍ଟି ପକ୍ଷରୁ ଗୁଜରାଟରେ ଆୟୋଜିତ ଜନ ଆକ୍ରୋଶ ସଭାକୁ ସମ୍ବୋଧିତ କରୁଥିଲେ ହାର୍ଦ୍ଦିକ । ଏହି ସମୟରେ ଅଚାନକ ମଂଚ ଉପରକୁ ଚାଲି ଆସିଥିଲେ ତରୁଣ ଗଜ୍ଜର ନାମକ ଏହି ବ୍ୟକ୍ତି ।  କେହି କିଛି ବୁଝିବା ପୂର୍ବରୁ ହାର୍ଦ୍ଦିକଙ୍କୁ ମାରି ଚାଲିଥିଲେ ଚାପୁଡା ପରେ ଚାପୁଡା  । ଏହା ପରେ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ନେଇଥିଲେ ଉପସ୍ଥିତ କର୍ମୀ । ଘେରି ଯାଇ ମାଡ ମଧ୍ୟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ କରିବା ସହ ଏହାକୁ ବିଜେପିର ଷଡଯନ୍ତ୍ର ବୋଲି କହିଛନ୍ତି ହାର୍ଦ୍ଦିକ । ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପିର ସ୍ଥାନୀୟ ନେତା । ସେପଟେ ପ୍ରତିକ୍ରିୟା ରଖିଛନ୍ତି ଆକ୍ରମଣ କରିଥିବା ତରୁଣ ଗଜ୍ଜର  ।

ସେହିପରି ଗୁରୁବାର ଦିନ ବିଜେପି ନେତା ଜିଭିଏଲ ନରସିଂହା ରାଓଙ୍କ ଉପରକୁ ଶକ୍ତି ଭାଗର୍ବ ନାମକ ବ୍ୟକ୍ତି ଜୋତା ଫିଙ୍ଗିଥିଲେ  । ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରୁଥିବାବେଳେ ଆଗଧାଡିରେ ବସିଥିବା ଶକ୍ତି, ଜିଭିଏଲଙ୍କୁ ଉପରକୁ ଫିଙ୍ଗିଥିଲେ ଜୋତା । ତେବେ  ଜୋତାଟି ଜିଭିଏଲଙ୍କ ମୁହଁରେ ନବାଜି ଅତି ନିକଟରୁ ଖସି ଯାଇଥିଲା । ତାପରେ ଏହି ପ୍ରେସମିଟରେ ଥିବା ଅନ୍ୟମାନେ ଜୋତା ଫିଙ୍ଗାଳିକୁ କାବୁ କରି ନେଇଥିଲେ । ଜୋତା ମାଡ ପରେ ପ୍ରେସ କନଫରେନ୍ସ ଜାରି ରଖିଥିଲେ ବିଜେପିର ଏହି ରାଷ୍ଟ୍ରିୟ ପ୍ରବକ୍ତା । ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ଥିବାବେଳେ ଏହି ଜୋତା ମାଡ ଓ ଚାପୁଡା ମାଡ ଉଷ୍ଣତାକୁ ଆହୁରି ବଢ଼ାଇ ଦେଇଛି । ତେବେ ଏହି ଭଳି ଆକ୍ରମଣ କେତେ ଦୂର ଗ୍ରହଣ ଯୋଗ୍ୟ ତାହା ଚର୍ଚ୍ଚାର ବିଷୟ ହୋଇଛି ।