କନକ ବ୍ୟୁରୋ : କଂଗ୍ରେସର ହାତ ଛାଡି ବିଜେପିରେ ଯୋଗ ଦେବେ କି ପଟିଦାର ନେତା ହାର୍ଦ୍ଦିକ ପଟେଲ । ଗୁଜୁରାଟ ରାଜନୀତିରେ କିଛି ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହା ପଛର ବଡ କାରଣ ହେଉଛି ହାର୍ଦ୍ଦିକ ପଟେଲଙ୍କ ନୂଆ ଫଟୋ । ହ୍ୱାଟସଆପର ନୂଆ ପ୍ରୋଫାଇଲ ଫଟୋରେ ହାର୍ଦ୍ଦିକ ପଟେଲ ଗେରୁଆ ଗାମୁଛା ପକାଇଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ହାର୍ଦ୍ଦିକ ପଟେଲ ହ୍ୱାଟସଆପ ଓ ଟେଲିଗ୍ରାମରେ ନିଜର ଫଟୋ ବଦଳାଇଛନ୍ତି ।
ହାର୍ଦ୍ଦିକ ପଟେଲ ଏବେ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । କିନ୍ତୁ କିଛି ଦିନ ହେବ କଂଗ୍ରେସର ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ହାର୍ଦ୍ଦିକ । ଏପରିକି ନିଜର ଅସନ୍ତୋଷକୁ ବାରମ୍ବାର ପରିପ୍ରକାଶ କରିଛନ୍ତି ହାର୍ଦ୍ଦିକ । କେବଳ ଏତିକି ନୁହେଁ କଂଗ୍ରେସରେ ନିଜର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ ହାର୍ଦ୍ଦିକ । ଏପରିକି ପୂର୍ବରୁ ହାର୍ଦ୍ଦିକ କହିଛନ୍ତି, ସୋନିଆ, ରାହୁଲ ଓ ପ୍ରିୟଙ୍କାକୁ ନେଇ କୌଣସି ଅସନ୍ତୋଷ ନାହିଁ ବରଂ ରାଜ୍ୟ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିବା କଥା କହିଥିଲେ ।
ହାର୍ଦ୍ଦିକ ପଟେଲ ଗତ ସପ୍ତାହରେ ନିଜକୁ ରାମଭକ୍ତ କହିଥିଲେ । ଏପରିକି ହିନ୍ଦୁ ହୋଇଥିବା କାରଣରୁ ସେ ଗର୍ବିତ ବୋଲି କହିଥିଲେ । ନିଜ ବାପାଙ୍କ ମୃତ୍ୟୁର ଅନ୍ତିମ ସଂସ୍କାରରେ ୪ ହଜାର ଭଗବତ୍ ଗୀତା ବାଣ୍ଟିବେ ବୋଲି କହିଥିଲେ ହାର୍ଦ୍ଦିକ । ସେତେବେଳେ ହାର୍ଦ୍ଦିକ କହିଥିଲେ, ମୁଁ ହିନ୍ଦୁ ଏବଂ ଏଥିପାଇଁ ବହୁତ ଗର୍ବିତ । ଆଉ ଏହାପରେ ଗୁଜୁରାଟ ବିଜେପି ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲଙ୍କ ପ୍ରଂଶସା କରିଥିଲେ । ଆଉ ଏହାପରେ ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗ ଦେଉଥିବା ଚର୍ଚ୍ଚା ବଢିଛି ।