ଶତକ ପରେ ଶତକ । ଫର୍ମକୁ ଫେରିଲେ ପାଣ୍ଡ୍ୟା, ୨୦ ଛକା ସହ ୫୫ ବଲରୁ ୧୫୮ ରନ କରି ସମସ୍ତଙ୍କୁ କରିଦେଲେ ଚକିତ ।

5,207

କନକ ବ୍ୟୁରୋ : ପଡ଼ିଆରେ ପାଣ୍ଡ୍ୟା ପାୱାର । ପୁଣିଥରେ ମୈଦାନରେ ଦେଖିବାକୁ ମିଳିଲା ହାର୍ଦ୍ଦିକଙ୍କ ହାଇଭୋଲଟେଜ ଇନିଂସ । ୫୫ ବଲରେ ୧୫୮ ରନର ଧୂଆଁଧାର ଇନିଂସ ଖେଳି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ହାର୍ଡ ହିଟର ହାର୍ଦ୍ଦିକ । ଡିଆଇ ପାଟିଲ ଟି-୨୦ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମୁକାବିଲାରେ ପାଣ୍ଡ୍ୟାଙ୍କର ଏଭଳି ଦୁର୍ଦ୍ଦଶ ବ୍ୟାଟିଂ ଦେଖିବାକୁ ମିଳିଛି । ପାଣ୍ଡ୍ୟାଙ୍କ ଶତକୀୟ ଇନିଂସ ବଳରେ ରିଲାଏନ୍ସ ୱାନ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଟିକେଟ ହାତେଇଛି । ପାଣ୍ଡ୍ୟାଙ୍କ ଏହି ୧୫୮ ରନର ଇନିଂସରେ ୬ଟି ଚୌକା ରହିଥିବା ବେଳେ ୨୦ଟି ବିଶାଳ ଛକା ସାମିଲ ଥିଲା । ଏଭଳି ବିସ୍ଫୋରକ ଇନିଂସ ବଳରେ ପାଣ୍ଡ୍ୟା ପୁଣିଥରେ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିବାକୁ ଇସାରା ଦେଇଛନ୍ତି ।

ପାଣ୍ଡ୍ୟାଙ୍କ ଏହି ଧୂଆଁଧାର ଇନିଂସ ବଳରେ ରିଲାଏନ୍ସ ୱାନ୍ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୩୮ ରନର ବିଶାଳ ସ୍କୋର କରିଥିଲା । ସବୁଠୁ ବଡ କଥା ହେଲା ପାଣ୍ଡ୍ୟା ଏହି ଶତକୀୟ ଇନିଂସରେ ମାତ୍ର ୧୪ ରନ ଦୌଡି କରି ନେଇଥିବା ବେଳେ ବାକି ରନ୍ ବାଉଣ୍ଡରୀରୁ ଆସିଥିଲା । ଏହି ମ୍ୟାଚରେ ପ୍ୟାଣ୍ଡାଙ୍କୁ ଭରପୂର ସାଥ୍ ଦେଇଥିଲେ ସୌରଭ ତିୱାରୀ । ଉଭୟଙ୍କ ମଧ୍ୟରେ ୧୦୬ ରନର ପାର୍ଟନରସିପ ଦେଖିବାକୁ ମିଳିଥିଲା ।
ସେହିଭଳି ଏହାପୂର୍ବରୁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଜଲୱା ଦେଖାଇଥିଲେ ପାଣ୍ଡ୍ୟା । ମଙ୍ଗଳବାର ସିଏଜି ଟିମ ବିପକ୍ଷରେ ୩୯ ବଲରୁ ୧୦୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ପାଣ୍ଡ୍ୟା । ଏହାସହ ଉକ୍ତ ମ୍ୟାଚରେ ୫ୱିକେଟ ନେଇ ଦଳକୁ ଦେଇଥିଲେ ୧୦୧ ରନର ବଡ ବିଜୟ । ଆହତ ସମସ୍ୟାରୁ ଚିକିତ୍ସିତ ହୋଇ ଫେରିବା ପରେ ପାଣ୍ଡ୍ୟାଙ୍କ ଫିଟନେସ ଓ ଫର୍ମକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ଗତ ୨ଟି ମ୍ୟାଚରେ ପାଣ୍ଡ୍ୟା ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତ ୫ ମାସ ପୂର୍ବରୁ ଅଣ୍ଟାରେ ଆଘାତ କାରଣରୁ କ୍ରିକେଟ ପଡିଆରୁ କିଛି ସମୟ ଦୂରେଇ ଯାଇଥିଲେ ପାଣ୍ଡ୍ୟା । ତେବେ ଲଣ୍ଡନରେ ସର୍ଜରୀ କରିବା ପରେ ଦୀର୍ଘଦିନ ହେବ କ୍ରିକେଟ ପଡିଆରେ କଡା ପରିଶ୍ରମ କରି ଆସୁଥିଲେ ହାର୍ଦ୍ଦିକ । ଆଉ ମ୍ୟାଚ୍ ଖେଳିବାର ସୁଯୋଗ ମିଳିବା ମାତ୍ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଜରିଆରେ ଟିମ ଇଣ୍ଡିଆକୁ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ପାଣ୍ଡ୍ୟା ।

ଏହାଛଡା ଚଳିତ ମାସରୁ ଆରମ୍ଭ ହେଉଥିବା ଆଇପିଏଲ ପାଣ୍ଡ୍ୟାଙ୍କ ପାଇଁ ଭାରତୀୟ ଦଳକୁ ଫେରିବାର ବାଟ ଫିଟାଇପାରେ । ଆଇପିଏଲରେ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ତାଙ୍କୁ ବିଶ୍ୱକପ ଦଳରେ ସାମିଲ ହେବା ପାଇଁ ଟିକେଟ ଦେଇପାରେ । କାରଣ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଅନେକ ଅଲରାଉଣ୍ଡରଙ୍କୁ ସୁଯୋଗ ମିଳିଥିଲେ ମଧ୍ୟ ସେଭଳି ଆଖିଦୃଶିଆ ପ୍ରଦର୍ଶନ କାହା ପାଖରୁ ଦେଖିବାକୁ ମିଳିନଥିଲା । ଏପରିକି ଗତ ସିରିଜ ଗୁଡିକରେ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଦଳରେ ବେଶ ବାରି ହୋଇପଡୁଥିଲା । ତେଣୁ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।