ମୁହଁ ଖୋଲିଲେ ହାର୍ଦ୍ଦିକ । କହିଲେ ଘଣ୍ଟାର ଦାମ ୫ କୋଟି ନୁହେଁ ଦେଢ କୋଟି ଟଙ୍କା, କଷ୍ଟମ ଡ୍ୟୁଟି ପୈଠ କରିବି ।

314

କନକ ବ୍ୟୁରୋ : ସୋସିଆଲ ମିଡ଼ିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଦୁବାଇରୁ ଫେରିବା ବେଳେ ତାଙ୍କ ଘଣ୍ଟା ଜବତ କରାଯାଇଛି ଓ ଜବତ ଘଣ୍ଟାର ମୂଲ୍ୟ ୫ କୋଟି ବୋଲି ସୋସିଆଲ ମିଡ଼ିଆରେ କୁହାଯାଉଛି । ତେବେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ମଙ୍ଗଳବାର ହାର୍ଦ୍ଦିକ ପାଣ୍ଡ୍ୟା ଟ୍ୱିଟ୍ କରି ଏହି ଘଣ୍ଟା ବିବାଦ ଉପରୁ ପରଦା ହଟାଇଛନ୍ତି । ଟ୍ୱିଟ୍ କରି ହାର୍ଦ୍ଦିକ କହିଛନ୍ତି, ଦୁବାଇରୁ ଫେରିବା ବେଳେ ନିଜେ ଯାଇ କଷ୍ଟମ ଅଧିକାରୀଙ୍କୁ ଘଣ୍ଟା ଦେଇଥିଲି । ଏହାସହ ଯେଉଁ ଅଭିଯୋଗ ଆସିଥିଲା ତାହାକୁ ଖଣ୍ଡନ କରିଛନ୍ତି ହାର୍ଦ୍ଦିକ ।

ହାର୍ଦ୍ଦିକ୍ କହିଛନ୍ତି, ତାଙ୍କ ପାଖରେ ଘଣ୍ଟା ସହ ଅନ୍ୟ ସାମଗ୍ରୀ ମଧ୍ୟ ରହିଥିଲା । ଦୁବାଇରୁ ଫେରିବା ପରେ ଏହାର ସୂଚନା ସେ ବିମାନ ବନ୍ଦରରେ ଥିବା କଷ୍ଟମ ବିଭାଗରେ ଦେଇଥିଲେ । ଯାହା ବି କଷ୍ଟମ ଡ୍ୟୁଟି ହେବ ସେ ପୈଠ କରିବେ । ଏହା ସହ ପାଣ୍ଡ୍ୟା କହିଛନ୍ତି,  ଘଂଟାର ଦାମ୍ ୫ କୋଟି ନୁହଁ ଦେଢ କୋଟି ଟଙ୍କା । ୫ କୋଟି ଟଙ୍କାର ଦୁଇଟି ଘଂଟା ମୁମ୍ବାଇ ଏୟାରପୋର୍ଟରେ କଷ୍ଟମ ବିଭାଗ ଜବତ କରିଥିବା ଖବର ଆସିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ପାଣ୍ଡ୍ୟା ।

ପାଣ୍ଡ୍ୟାଙ୍କ ଘଣ୍ଟା ଜବତ ହେବା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଲା ଯେ, ତାଙ୍କ ପାଖରେ ଘଣ୍ଟାର ବିଲ୍ ନଥିଲା । ପାଣ୍ଡ୍ୟା ଦୁବାଇରୁ ଆଣିଥିବା ଦୁଇଟି ଘଣ୍ଟାର ବିଲ୍ ଦେଖାଇ ପାରିନଥିଲେ । ତାଙ୍କୁ ଏହି ଘଂଟା ବିଷୟରେ ପଚରାଉଚରା କରାଯାଇଥିଲା । ହେଲେ ପାଣ୍ଡ୍ୟା ଏହାର ସନ୍ତୋଷଜନକ ଉତର ଦେଇପାରିନଥିଲେ । ଫଳରେ କଷ୍ଟମ ବିଭାଗ ଦୁଇଟି ଘଂଟାକୁ ଜବତ କରିଛି । ଏଭଳି କିଛି ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

ହାର୍ଦ୍ଦିକ କହିଛନ୍ତି, ମୁଁ ଆଇନ କାନୁନକୁ ମାନୁଥିବା ଜଣେ ଭାରତୀୟ ନାଗରିକ । ମୋ ବିରୋଧରେ ଯେଉଁ ଅଭିଯୋଗ ଅଣାଯାଇଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଏହାପୂର୍ବରୁ ୨୦୨୦ରେ ହାର୍ଦ୍ଦିକଙ୍କ ଭାଇ କୁର୍ଣ୍ଣାଲ ପାଣ୍ଡ୍ୟାଙ୍କ ଠାରୁ ମଧ୍ୟ ବିମାନବନ୍ଦରରେ ବିଦେଶରୁ ଅଣାଯାଇଥିବା ଘଣ୍ଟା ଜବତ କରାଯାଇଥିଲା ।