ହାର୍ଦ୍ଦିକଙ୍କୁ ଭାରତ ପଠାଇବାକୁ ଚାହୁଁଥିଲା ବୋର୍ଡ । ଧୋନୀଙ୍କ ପଦିଏ କଥା… ପାକିସ୍ତାନ ବିପକ୍ଷରେ ଖେଳିବାକୁ ପାଣ୍ଡ୍ୟାଙ୍କୁ ମିଳିଲା ସୁଯୋଗ ।

342

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରିବା ନେଇ ପ୍ରଥମରୁ ହିଁ ପ୍ରଶ୍ନ ଉଠାଉଛନ୍ତି କ୍ରିକେଟପ୍ରେମୀ । ପାଣ୍ଡ୍ୟା ବ୍ୟାଟିଂରେ ସେଭଳି ଦମଦାର ପ୍ରଦର୍ଶନ କରିନଥିବା ବେଳେ ବୋଲିଂ କରୁନାହାନ୍ତି । ତେଣୁ ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବାକୁ ନେଇ ବାରମ୍ବାର କ୍ୟାପଟେନ କୋହଲି ଓ ଟିମ୍ ମ୍ୟାନେଜମେଣ୍ଟକୁ ପ୍ରଶ୍ନ କରୁଛନ୍ତି କ୍ରିକେଟପ୍ରେମୀ । ଏସବୁ ଭିତରେ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନକୁ ନେଇ ଟିମ୍ ମ୍ୟାନେଜମେଣ୍ଟ ଏତେଟା ଖୁସି ନଥିବା ବେଳେ ତାଙ୍କୁ ଭାରତ ବିଦା କରିବାକୁ ବିସିସିଆଇ ଚିନ୍ତା ମଧ୍ୟ କରୁଥିଲା । କିନ୍ତୁ ମେଣ୍ଟର ମହେନ୍ଦ୍ର ସିଂ ଧୋନୀଙ୍କ ପଦିଏ କଥା ପାଇଁ ପାଣ୍ଡ୍ୟାଙ୍କୁ ପୁଣିଥରେ ବିଶ୍ୱକପ୍ ଟିମରେ ସାମିଲ କରିଥିଲା ବୋର୍ଡ ।

ଗତ କିଛି ଦିନ ହେବ ହାର୍ଦ୍ଦିକଙ୍କ ପ୍ରଦର୍ଶନ ଖରାପ ରହିଛି । ଖାସକରି ଆଇପିଏଲରେ ହାର୍ଦ୍ଦିକଙ୍କ ବ୍ୟାଟରୁ ସେଭଳି ବଡ ସ୍କୋର ଦେଖିବାକୁ ମିଳିନଥିଲା । ୧୨ଟି ମ୍ୟାଚରୁ ମାତ୍ର ୧୨୭ ରନ୍ କରିବାକୁ ସକ୍ଷମ ହୋଇଥିଲେ ହାର୍ଦ୍ଦିକ । ଆଉ ଏଭଳି ଖରାପ ଫର୍ମ କାରଣରୁ ବିଶ୍ୱକପ ଦଳରୁ ହାର୍ଦ୍ଦିକଙ୍କୁ ବାଦ୍ ଦେବାକୁ ବୋର୍ଡ ଚାହୁଁଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କିନ୍ତୁ ଧୋନୀଙ୍କୁ ମେଣ୍ଟର କରାଯିବା ପରେ ପାଣ୍ଡ୍ୟାଙ୍କୁ ନେଇ ବୋର୍ଡ ସହ ଆଲୋଚନା କରିଥିଲେ, ଆଉ ପଦିଏ କଥା କହିଥିଲେ, ହାର୍ଦ୍ଦିକ ହେଉଛନ୍ତି ଟିମ୍ ପାଇଁ ସବୁଠୁ ଶ୍ରେଷ୍ଠ ଫିନିସର ।

ଧୋନୀ ସିନା ପାଣ୍ଡ୍ୟାଙ୍କୁ ଶ୍ରେଷ୍ଠ ଫିନିସର କହିବା ସହ ବଞ୍ଚାଇ ଦେଇଥିଲେ କିନ୍ତୁ ଏବେ ପାଣ୍ଡ୍ୟାଙ୍କର କଣ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି । କାରଣ ପାକିସ୍ତାନ ବିପକ୍ଷ ମ୍ୟାଚରେ ଆଦୌ ବୋଲିଂ କରିନଥିଲେ ପାଣ୍ଡ୍ୟା । ସେହିଭଳି ବ୍ୟାଟିଂରେ ମଧ୍ୟ ସେଭଳି ବଡ ସ୍କୋର କରିବାରେ ବିଫଳ ହୋଇଥିଲେ ପାଣ୍ଡ୍ୟା । ତେବେ ଗତ ୨ ଦିନ ହେବ ନେଟସରେ ପାଣ୍ଡ୍ୟାଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳୁଛି । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ହାର୍ଦ୍ଦିକ ବୋଲିଂ କରିପାରନ୍ତି ବୋଲି କୁହାଯାଉଛି । ଯଦି ନ୍ୟୁଜିଲାଣ୍ଡ ବିପକ୍ଷରେ ପାଣ୍ଡ୍ୟା ବୋଲିଂ ନକରନ୍ତି ତେବେ ଆଗକୁ ଶାର୍ଦ୍ଦୁଳ ଠାକୁର ନଚେତ ଦୀପକ ଚହରଙ୍କୁ ଟିମରେ ସ୍ଥାନ ମିଳିପାରେ ।

ପାଣ୍ଡ୍ୟାଙ୍କୁ ନେଇ କ୍ରିକେଟ ପ୍ରଂଶସକ ପ୍ରଶ୍ନ ଉଠାଉଥିବା ବେଳେ ବିରାଟ କିନ୍ତୁ ହାର୍ଦ୍ଦିକଙ୍କ ପ୍ରଂଶସା କରିଛନ୍ତି । ରାତାରାତି ୬ ନମ୍ବର ସ୍ଥାନରେ ବ୍ୟାଟରଙ୍କୁ ପ୍ରସ୍ତୁତ କରାଯାଇପାରିବ ନାହିଁ । ଅଷ୍ଟ୍ରେଲିଆରେ ହାର୍ଦ୍ଦିକ କିଭଳି ପ୍ରଦର୍ଶନ କରିଥିଲେ ତାହା ସମସ୍ତେ ଦେଖିଛନ୍ତି । ଦଳରେ ତାଙ୍କୁ ବ୍ୟାଟର ଭାବେ ରଖାଯାଇଛି । ହାର୍ଦ୍ଦିକ ଏଭଳି ଜଣେ ଖେଳାଳୀ ଯିଏ ବିରୋଧୀଙ୍କ ଠାରୁ ମ୍ୟାଚ୍ ଛଡାଇ ଆଣିବାର କ୍ଷମତା ରଖିଛନ୍ତି । ହାର୍ଦ୍ଦିକ ଜଣେ ମ୍ୟାଚ୍ ୱିନର ଖେଳାଳୀ ଓ ଟି-୨୦ରେ ଏଭଳି ଖେଳାଳୀଙ୍କର ଆବଶ୍ୟକତା ରହିଛି ।