ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିପାରନ୍ତି ହାର୍ଦ୍ଦିକ । ଜାଣନ୍ତୁ କିଏ ଧରିପାରନ୍ତି ଟିମ୍ ଇଣ୍ଡିଆର ମଙ୍ଗ?

1,231

କନକ ବ୍ୟୁରୋ : ବିଶ୍ୱକପ୍ ୨୦୨୩ ପରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଏହି ସିରିଜରେ ରୋହିତ, ବିରାଟ ଓ ଯଶପ୍ରୀତଙ୍କ ଭଳି ବଡ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇପାରେ । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ସିରିଜରେ ଅଧିନାୟକ ରେସରେ ଆଗରେ ରହିଥିଲେ । କିନ୍ତୁ ଆହତ ସମସ୍ୟା କାରଣରୁ ବିଶ୍ୱକପ ଟିମରୁ ବାଦ ପଡିଛନ୍ତି ହାର୍ଦ୍ଦିକ । ଏବେସୁଦ୍ଧା ଆହତ ସମସ୍ୟାରୁ ସୁସ୍ଥ ହୋଇନାହାନ୍ତି ହାର୍ଦ୍ଦିକ । ତେଣୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜରୁ ବାଦ୍ ପଡିପାରନ୍ତି ହାର୍ଦ୍ଦିକ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଦେଖିବାକୁ ମିଳିବନି । ତେଣୁ ହାର୍ଦ୍ଦିକଙ୍କ ବଦଳରେ ରାହୁଲଙ୍କୁ ଏହି ଗୁରୁଦାୟିତ୍ୱ ମିଳିପାରେ । ଚଳିତ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ବଲକୁ ଅଟକାଉଥିବା ବେଳେ ଆହତ ହୋଇଥିଲେ ହାର୍ଦ୍ଦିକ । କିନ୍ତୁ ଏହାପରେ ଆହତ ସମସ୍ୟାରୁ ମୁକୁଳି ପାରିନାହାନ୍ତି ହାର୍ଦ୍ଦିକ । ବିଶ୍ୱକପ ଅଧାରୁ ଦଳରୁ ବାଦ୍ ପଡିଥିବା ହାର୍ଦ୍ଦିକଙ୍କ ଚିକିତ୍ସା ଏବେ ଏନସିଏରେ ଚାଲିଛି । ୨ ସପ୍ତାହ ପୂର୍ବରୁ ପାଣ୍ଡ୍ୟା ନେଟସରେ ବୋଲିଂ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାଦରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଉ ବୋଲିଂ କରାଇ ନଥିଲେ ଏନସିଏ କର୍ତ୍ତୃପକ୍ଷ ।

ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାଦ୍ ପଡିବା ପରେ ପ୍ରସିଦ୍ଧ କୃଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି । କିନ୍ତୁ ପ୍ରସିଦ୍ଧଙ୍କୁ ଏବେ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିନାହିଁ । ହାର୍ଦ୍ଦିକଙ୍କ ବଦଳରେ ସାମି ଦଳରେ ସାମିଲ ହେବା ପରେ ଦମଦାର ପ୍ରଦର୍ଶନ କରି ଆସୁଛନ୍ତି । ତେଣୁ ସେମିଫାଇନାଲରେ ଯେଉଁ ଟିମ୍ ମୈଦାନକୁ ଓହ୍ଲାଇଥିଲା ଫାଇନାଲରେ ମଧ୍ୟ ସେହି ଟିମ୍ ସହ ମୈଦାନକୁ ଓହ୍ଲାଇ ପାରନ୍ତି ରୋହିତ ।