କ୍ରିକେଟ ଖେଳିନଥିଲେ ପେଟ୍ରୋଲ ପମ୍ପରେ କାମ କରୁଥାନ୍ତି । କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା?

182

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସଫଳତାର କାହାଣୀ ତ ସମସ୍ତେ ଜାଣିଥିବେ କିନ୍ତୁ କ୍ରିକେଟ ଖେଳିବା ପୂର୍ବରୁ ତାଙ୍କର ସଂଘର୍ଷମୟ କାହାଣୀ ବେଶି କେହି ଜାଣିନଥିବେ । ଆକ୍ରମଣାତ୍ମକ ବ୍ୟାଟିଂ ଓ ଚତୁର ବୋଲିଂ ବଳରେ ଟିମ୍ ଇଣ୍ଡିଆର ଭରସାଯୋଗ୍ୟ ଅଲରାଉଣ୍ଡର ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଗତ କିଛି ବର୍ଷ ମଧ୍ୟରେ କ୍ରିକେଟ ଜଗତରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ନିଜର ଦମଦାର ବ୍ୟାଟିଂ ଓ ଚତୁର ବୋଲିଂ ବଳରେ ଅନେକଥର ଟିମ୍ ଇଣ୍ଡିଆକୁ ବଡ ବିଜୟ ଭେଟି ଦେଇଛନ୍ତି ।

ନିଜର ବ୍ୟକ୍ତିଗତ ଜୀବନ ବାବଦରେ କହି ପୂର୍ବରୁ ବିବାଦୀୟ ହୋଇଥିବା ହାର୍ଦ୍ଦିକ ଏବେ ଏମିତି କିଛି କହିଛନ୍ତି ଯାହା ତାଙ୍କ କ୍ରିକେଟ ଖେଳ ପୂର୍ବର ସଂଘର୍ଷମୟ କାହାଣୀକୁ ବଖାଣୁଛି । ହାର୍ଦ୍ଦିକ କହିଛନ୍ତି ଟଙ୍କା ରୋଜଗାର କରିବା ଓ ଅଧିକ ଟଙ୍କା ରୋଜଗାର କରିବା ନିହାତି ଜରୁରୀ । ଏହାଛଡା ଟଙ୍କାର ଗୁରୁତ୍ୱ କଣ ତାହାକୁ ମଧ୍ୟ ବେଶ ଭଲ ଭାବେ ବୁଝିବା ଆବଶ୍ୟକ । ହାର୍ଦ୍ଦିକ କହିଛନ୍ତି, ୨୦୧୮ରେ ମୁମ୍ବାଇ ଇଣ୍ଡିଆନ୍ସ ଯେତେବେଳେ ତାଙ୍କୁ ୧୧ କୋଟି ଟଙ୍କା ଦେଇ ଦଳରେ ରଖିଥିଲା ସେତେବେଳେ ମଧ୍ୟ ସେ ଏତେ ଉତ୍ସାହିତ ହୋଇନଥିଲେ । ବରଂ ଏହି ସମୟରେ ସେ ନିଜକୁ ବେଶ ଶାନ୍ତଚିତ୍ତରେ ରଖିଥିଲେ ।

ହାର୍ଦ୍ଦିକ କହିଛନ୍ତି, ପାଖରେ ଟଙ୍କା ରହିବା ନିହାତି ଜରୁରୀ ଓ ଏହାଦ୍ୱାରା ଜୀବନରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳେ । ଯାହାର ବଡ ଉଦାହରଣ ହେଉଛି ମୁଁ ନିଜେ । ଯଦି କ୍ରିକେଟ ଖେଳି ନାହାନ୍ତି ତେବେ ପେଟ୍ରୋଲ ପମ୍ପରେ କାମ କରୁଥାନ୍ତି । ମୁଁ ଏହା ମଜା ପାଇଁ କହୁନାହିଁ, ମୋ ପାଇଁ ମୋ ପରିବାର ସବୁଠୁ ବଡ ପ୍ରାଥମିକତା । ତେଣୁ ମୋ ପରିବାର କିଭଳି ଭଲ ଜୀବନ ବଞ୍ଚିବେ ତାହା ମୋର ଦାୟିତ୍ୱ । କୌଣସି ଛୋଟ ସହରରୁ ଆସିଥିବା ଯୁବକ ଯେତେବେଳେ ରୋଜଗାର କରିଥାଏ ସେତେବେଳେ ସିଏ ନିଜ ବାପା-ମା, ଭାଇ-ଭଉଣୀ, ପରିବାର ଓ ସର୍ମ୍ପକୀୟଙ୍କ କଥା ଚିନ୍ତା କରିଥାଏ । ମୁଁ ମଧ୍ୟ ସେହିଭଳି ଏକ ଛୋଟ ସହରରୁ ଆସିଛି । ତେଣୁ ଟଙ୍କାର ଆବଶ୍ୟକତା କଣ ତାହା ବେଶ ଭଲ ଭାବେ ଜାଣିଛି ।

ଚଳିତ ଟି-୨୦ ବିଶ୍ୱକପରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । କିନ୍ତୁ ଏବେ ସେତେଟା ଫର୍ମରେ ନାହାନ୍ତି ହାର୍ଦ୍ଦିକ । ଚଳିତ ଆଇପିଏଲରେ ହାର୍ଦ୍ଦିକଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳିନଥିଲା । ଆହତ ସମସ୍ୟାରୁ ସୁସ୍ଥ ହେବା ପରେ ବୋଲିଂ କରୁନାହାନ୍ତି ହାର୍ଦ୍ଦିକ । ଶ୍ରୀଲଙ୍କା ଗସ୍ତରେ ମଧ୍ୟ ବହୁତ କମ ଓଭର ବୋଲିଂ କରିଥିଲେ ହାର୍ଦ୍ଦିକ । ତେଣୁ ଅଭ୍ୟାସ ମ୍ୟାଚରେ ହାର୍ଦ୍ଦିକଙ୍କୁ ବଡ ଇନିଂସ ଖେଳନ୍ତୁ ବୋଲି କ୍ରିକେଟପ୍ରେମୀ ଆଶା ବାନ୍ଧି ବସିଛନ୍ତି । ଯେଉଁ ପ୍ରଦର୍ଶନ ଆଧାରରେ ଆସନ୍ତା ୨୪ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବେ କୋହଲି । କାରଣ ହାର୍ଦ୍ଦିକ ହେଉଛନ୍ତି ଟିମ୍ ଇଣ୍ଡିଆର ଟ୍ରମ୍ପ କାର୍ଡ । ହାର୍ଦ୍ଦିକ ଫର୍ମକୁ ଫେରିଲେ ଭାରତର ଟି-୨୦ ବିଶ୍ୱକପ ବିଜୟୀ ଆଶା ଦ୍ୱିଗୁଣିତ ହୋଇଯିବ ।