ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରୁ ବାଦ୍ ପଡିପାରନ୍ତି ପାଣ୍ଡ୍ୟା । ଟେଷ୍ଟ ସିରିଜ ଖେଳିପାରନ୍ତି ବୁମରାହ ।

317

ବିଶ୍ୱକପ୍ ସେମିଫାଇନାଲରୁ ବିଦା ହେବା ପରେ ଟିମ୍ ଇଣ୍ଡିଆକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଗୋଟିଏ ପଟେ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଅନ୍ୟପଟେ ଧୋନୀଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା କିଛି କମ ନୁହେଁ । ମୁଖ୍ୟ କୋଚ ପାଇଁ ନୂଆ ଆବେଦନ ଗ୍ରହଣ କରାଯାଇଥିବା ବେଳେ ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳ ଚୟନ କରିବା ଉପରେ ଏବେ ସମସ୍ତଙ୍କର ନଜର ରହିଛି । କାରଣ ଏହି ସିରିଜ ପାଇଁ ଭାରତୀୟ ଟିମରେ ଧୋନିଙ୍କୁ ସାମିଲ କରାଯିବ କି ନାହିଁ , ଅଧିନାୟକ ଦାୟିତ୍ୱ କିଏ ତୁଲାଇବ ଏଭଳି ଅସମାହିତ ପ୍ରଶ୍ନ କ୍ରିକେଟପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ରବିବାର ଟିମ୍ ଚୟନ ପରେ ଏହି ସସପେନ୍ସ ଉପରୁ ପରଦା ହଟିବ । କିନ୍ତୁ ଏସବୁ ଭିତରେ ଚର୍ଚ୍ଚା ହେଉଛି ଯେ, ବିରାଟଙ୍କ ନେତୃତ୍ୱରେ ଦଳ ୱେଷ୍ଟଇଣ୍ଡିଜ ଗସ୍ତ କରିବ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେଇପାରନ୍ତି ଚୟନକର୍ତ୍ତା ।

ଟିମ୍ ଚୟନ ହେବା ପୂର୍ବରୁ ଚୟନକର୍ତ୍ତା ଖେଳାଳିଙ୍କ ଫିଟନେସ୍ ରିପୋର୍ଟକୁ ଅପେକ୍ଷା କରିଛନ୍ତି । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ପିଠିରେ ଯନ୍ତ୍ରଣା କାରଣରୁ ପାଣ୍ଡ୍ୟାଙ୍କୁ ପୂରା ସିରିଜରୁ ବିଶ୍ରାମ ଦିଆଯାଇପାରେ । ସେହିଭଳି ଯଶପ୍ରୀତ ବୁମରାହଙ୍କୁ ଟି-୨୦ ଓ ଦିନିକିଆ ସିରିଜରୁ ବିଶ୍ରାମ ଦେଇ ଟେଷ୍ଟ ସିରିଜରେ ସାମିଲ କରିପାରନ୍ତି ଚୟନକର୍ତ୍ତା । ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଅଗଷ୍ଟ ୩ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏହି ଅଭିଯାନ ଆରମ୍ଭ କରିବ ଭାରତୀୟ ଟିମ୍ ।