ଆଇପିଏଲର ୧୭ତମ ସଂସ୍କରଣ ପାଇଁ ହେବ ମିନି ନିଲାମ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଥିବା ନେଇ ଚର୍ଚ୍ଚା

186

କନକ ବ୍ୟୁରୋ: ଡିସେମ୍ବର ୧୯ରେ ଆଇପିଏଲର ୧୭ତମ ସଂସ୍କରଣ ପାଇଁ ଦୁବାଇରେ ଅନୁଷ୍ଠିତ ହେବ ମିନି ନିଲାମ । ସମସ୍ତ ୧୦ଟି ଯାକ ଫ୍ରାଞ୍ଚାଇଜି ବଛା ବଛା ଖେଳାଳିଙ୍କୁ ରିଟେନ ରଖିବା ସହିତ ଅନ୍ୟ ମାନଙ୍କୁ ନିଲାମ ପାଇଁ ବାଦ୍ ଦେବାକୁ ତାଲିକା ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଏସବୁ ମଧ୍ୟରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨ବର୍ଷ ପରେ ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଥିବା ଚର୍ଚ୍ଚା ହେଉଛି ।

୨୦୨୨ରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସରେ ଯୋଗ ଦେଇଥିବା ବେଳେ ଦଳକୁ ଚାମ୍ପିୟାନ କରାଇଥିଲେ । ଗତ ଦୁଇଟି ଯାକ ସିଜିନରେ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ ଦମଦାର ପ୍ରଦର୍ଶନ କରିବା ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା । ପ୍ରାଞ୍ଚାଇଜି ମାନଙ୍କ ମଧ୍ୟରେ ଖେଳାଳି ବଦଳ ପ୍ରକ୍ରିୟାରେ ପାଣ୍ଡ୍ୟା ନିଜର ପୁରୁଣା ଦଳକୁ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଛନ୍ତିି । ଏ ବାବଦକୁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟନ୍ସକୁ ୧୫କୋଟି ଟଙ୍କା ସହ ଟ୍ରାନ୍ସଫର ଫି ମଧ୍ୟ ଦେବ ବୋଲି କୁହାଯାଉଛି । କେବଳ ହାର୍ଦ୍ଦିକ ପାଣ୍ଡ୍ୟା ନୁହେଁ ରୋହିତ ଶର୍ମା, ଇଷାନ କିଷାନଙ୍କୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଅନ୍ୟ ଦଳ ସହ ବଦଳ କରିପାରେ ବୋଲି ଚର୍ଚ୍ଚା ହେଉଛି । ଖେଳାଳି ଅଦଳବଦଳ ପ୍ରକ୍ରିୟାର ଶେଷ ତାରିଖ ନଭେମ୍ବର ୨୬ ରହିଥିବା ବେଳେ ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ।

ବିଶ୍ୱକପ ପରେ ଆସନ୍ତା ଡିସେମ୍ବର ୧୯ରେ ଦୁବାଇରେ ଆଇପିଏଲର ୧୭ତମ ସଂସ୍କରଣ ପାଇଁ ଅନୁଷ୍ଠିତ ହେବ ନିଲାମ ପ୍ରକ୍ରିୟା, ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସମେତ ଅନେକ ଷ୍ଟାର ଖେଳାଳି ଆଗାମୀ ସିଜନରେ ଅନ୍ୟ ଦଳରେ ନଜର ଆସିପାରନ୍ତି ।

  • ନିଲାମ ପ୍ରକ୍ରିୟାରେ ଫୋକସରେ ରହିବେ ନବାଗତ
  • ରାଚିନ ରବିନ୍ଦ୍ରଙ୍କ ବଢିପାରେ ଡିମାଣ୍ଡ

ନିଲାମ ପ୍ରକ୍ରିୟାରେ ବିଶ୍ୱକପ ପ୍ରର୍ଦଶନକୁ ନେଇ କିଛି ଚେହେରାକୁ ବିଶେଷ ନଜରରେ ରଖିପାରନ୍ତି ୧୦ଟି ଯାକ ଫ୍ରାଞ୍ଚାଇଜି । ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ, ଟ୍ରେଭିସ୍ ହେଡ୍ ନ୍ୟୁଜିଲାଣ୍ଡ ଓପନର ରାଚିନ ରବୀନ୍ଦ୍ର, ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଗେରାଲ୍ଡ କୋଏଜିଙ୍କ ବେଶ ଡିମାଣ୍ଡ ରହିବ ବୋଲି ଆଶା ରହିଛି । ଗତ ସିଜିନରେ ଅଧିକ ଦାମରେ ବିକ୍ରି ହୋଇଥିବା କିଛି ଖେଳାଳି ଆଗାମୀ ସିଜିନରେ ବାଦ ପଡିପାରନ୍ତି । ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ, ବିସ୍ମୟ ହ୍ୟାରି କ୍ରୁକ୍, ସାମ କୁରାନ, ଜୋଫ୍ରା ଆର୍ଚର, ଆନରିଚ ନର୍ଜ, ହର୍ଷେଲ ପଟେଲଙ୍କ ଭଳି ଭଳି ଖେଳାଳିଙ୍କୁ ଫ୍ରାଞ୍ଚାଇଜି ମାନେ ବାଦ ଦେବା ନେଇ ଚର୍ଚ୍ଚା ହେଉଛି ।

ନିଲାମରେ ପ୍ୟାଟ୍ କମିନ୍ସ, ଟ୍ରେଭିସ୍ ହେଡ, ରାଚିନ ରବୀନ୍ଦ, ଗେରାଲ୍ଡ କୋଏଜିଙ୍କୁ ନେଇ ଫ୍ରାଞ୍ଚାଇଜି ମାନଙ୍କ ମଧ୍ୟରେ ଦେଖିବାକୁ ମିଳିପାରେ ଟକ୍କର । ସେହିପରି ବେନ ଷ୍ଟୋକ୍ସ, ସାମ କୁରାନଙ୍କ ଭଳି ଖେଳାଳିଙ୍କୁ ଆଗାମୀ ସିଜିନରେ ପଡିପାରନ୍ତି ବାଦ ।

୨୦୨୪ ମାର୍ଚ୍ଚ ମାସରେ ଆଇପିଏଲର ୧୭ତମ ସଂସ୍କରଣ ଅନୁଷ୍ଠିତ ହେବ । ସାଧାରଣ ନିର୍ବାଚନ କାରଣରୁ ବିଦେଶରେ ଖେଳାଯାଇପାରେ ଫଟାଫଟ କ୍ରିକେଟ । ଅସନ୍ତା ବର୍ଷ ଜୁଲାଇରେ ଟି-୨୦ ବିଶ୍ୱକପ ଖେଳାଯିବାକୁ ଥିବା ବେଳେ ଆଇପିଏଲ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।