କନକ ବ୍ୟୁରୋ: ବିଶ୍ୱକପ୍ ମଝିରେ ଟିମ୍ ଇଣ୍ଡିଆର ଚିନ୍ତା ବଢିଲା । ବାଂଲାଦେଶ ବିପକ୍ଷ ମ୍ୟାଚ୍ ମଝିରେ ଆହତ ହେଇ ପଡିଆରୁ ବାହାରକୁ ଗଲେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଗୁରୁବାର ବାଂଲାଦେଶ ବିପକ୍ଷ ମ୍ୟାଚ୍ ବେଳେ ଆହତ ହୋଇଛନ୍ତି ପାଣ୍ଡ୍ୟା । ଯାହାପରେ ସେ ଠିକ୍ ସେ ଚାଲି ବି ପାରୁନାହାଁନ୍ତି । ଏହାପରେ ତାଙ୍କ ସ୍ଥାନରେ ବିରାଟ କୋହଲି ବୋଲିଂ କରିବା ସହ ପଡିଆ ଛାଡିଛନ୍ତି ପାଣ୍ଡ୍ୟା । ତେବେ ପାଣ୍ଡ୍ୟାଙ୍କ ଗୋଡରେ ଲାଗିଥିବା ଆଘାତ କେତେ ଗମ୍ଭୀର ତାହା ଜଣାପଡିନି ।

Advertisment

ଭାରତ-ବାଂଲାଦେଶ ମ୍ୟାଚର ୯ମ ଓଭର ବୋଲିଂ କରିବାକୁ ଆସିଥିଲେ ପାଣ୍ଡ୍ୟା । ପ୍ରଥମ ବଲରେ କୌଣସି ରନ୍ ଦେଇନଥିବା ପାଣ୍ଡ୍ୟା ଦ୍ୱିତୀୟ ଏବଂ ତୃତୀୟ ବଲରେ ଚୌକା ଖାଇଥିଲେ । ତେବେ ତୃତୀୟ ବଲରେ ଲିଟନ୍ ଦାସ ମାରିଥିବା ସଟକୁ ରୋକିବାକୁ ଯିବା ସମୟରେ ପାଣ୍ଡ୍ୟା ପଡିଯାଇଥିଲେ, ଯାହା ପରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା । ଏହାପରେ ଟିମ୍ ଇଣ୍ଡିଆର ଫିଜିଓ ପଡିଆକୁ ଆସି ଚିକିତ୍ସା କରିଥିଲେ ବି, ଶେଷରେ ପାଣ୍ଡ୍ୟାଙ୍କୁ ପଡିଆ ଛାଡିବାକୁ ପଡିଥିଲା ।

ପାଣ୍ଡ୍ୟା ଅଧାରୁ ବୋଲିଂ ଛାଡିବା ପରେ ବିରାଟ କୋହଲି ତାଙ୍କ ସ୍ଥାନରେ ବୋଲିଂ କରିଥିଲେ । ଦୀର୍ଘ ୬ ବର୍ଷ ପରେ ବୋଲିଂ କରିଥିଲେ ବିରାଟ । ଯେଉଁଥିରେ ୩ଟି ବଲ ବୋଲିଂ କରି ସେ ଦୁଇ ରନ୍ ଦେଇଥିଲେ । ତେବେ ଯଦି ପାଣ୍ଡ୍ୟାଙ୍କ ଗୋଡରେ ଲାଗିଥିବା ଆଘାତ ଗମ୍ଭୀର ହୁଏ, ତେବେ ଟିମ୍ ଇଣ୍ଡିଆକୁ ବଡ ଝଟକା ଲାଗିପାରେ । ଏମିତି ଆଗାମୀ ମ୍ୟାଚରେ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ମଧ୍ୟ ପରିବର୍ତ୍ତନ ଆସିପାରେ ।