କନକ ବ୍ୟୁରୋ: ବୁଥ୍ ବାହୁଡା ମତ ଅନୁସାରେ, ଏଥର ୪ ଲୋକସଭା ଓ ୧୬ ବିଧାନସଭା ଆସନରେ କଡା ମୁକାବିଲା ହୋଇପାରେ । ଅଧିକାଂଶ ଆସନରେ ଫଳାଫଳକୁ ଅନ୍ତିମ ପର୍ଯ୍ୟାୟ ଯାଏ ଅପେକ୍ଷା କରିବାକୁ ପଡିପାରେ । କୁହାଯାଉଛି, ଏହି ସବୁ ଆସନରେ ବିଜେପି-ବିଜେଡି ମଧ୍ୟରେ ବଡ ଲଢେଇ ହେବ, ଯେ କୌଣସି ସମୟରେ କିଛି ବି ହୋଇପାରେ ।

Advertisment

ଏଗଜିଟ ପୋଲ ଅନୁସାରେ, ରାଜ୍ୟରେ ଅନେକ ଆନସରେ ଏଥର କଡା ମୁକାବିଲା ହେବ ବୋଲି ଆକଳନ କରାଯାଇଛି । ଏଥିମଧ୍ୟରେ କିଛି ଭିଆଇପି ଆସନ ବି ରହିଛି । ଏଥିମଧ୍ୟରୁ ଅନେକ ଆସନରେ ଏମିତି ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କ ହାରଜିତ ସେମାନଙ୍କ କ୍ୟାରିଅର ଉପରେ ପ୍ରଭାବ ପକାଇବ ।

ବିଧାନସଭା
କଡା ଟକ୍କର : ଲକ୍ଷ୍ମୀପୁର, ଦିଗପହଣ୍ଡି, ପାଟଣାଗଡ, ବୀରମହାରାଜପୁର, ରାଜଗାଙ୍ଗପୁର, ସମ୍ବଲପୁର, ଦେବଗଡ, ପରଜଙ୍ଗ, କେନ୍ଦୁଝର, ଭୁବନେଶ୍ୱର-ମଧ୍ୟ, ବ୍ରହ୍ମଗିରି, ଯଶୀପୁର, ବଡ଼ସାହି, ନୀଳଗିରି, ବାଲେଶ୍ୱର, ଚାନ୍ଦବାଲି ଆସନ । ଆଉ ଏହି ଆସନଗୁଡିକରେ ଏଥର ଦେଖିବାକୁ ମିଳିପାରେ ନେକ ଟୁ ନେକ୍ ଫାଇଟ । ଏଗୁଡିକ ମଧ୍ୟରେ କିଛି ପ୍ରମୁଖ ଆସନ ଉପରେ ଆସନ୍ତୁ ନଜର ପକାଇବା ।

ଦିଗପହଣ୍ଡି: ସର୍ଭେ ଅନୁସାରେ ଏହି ଆସନରେ ବିଜେପି-ବିଜେଡି ମଧ୍ୟରେ କଡା ଟକ୍କର ହେଉଛି । ବିଜେଡିରୁ ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଓ ବିଜେପିରୁ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଲଢୁଛନ୍ତି । କୁହାଯାଉଛି, ସିଦ୍ଧାନ୍ତ ଏହି ଆସନରେ ବିଜେଡିକୁ ଶେଷ ସମୟରେ କଡା ଟକ୍କର ଦେଇଛନ୍ତି ।

ପାଟଣାଗଡ: ଏହି ଆସନରେ ବରିଷ୍ଠ ବିଜେପି ନେତା କନକର୍ଦ୍ଧନ ସିଂହଦେଓଙ୍କ ରାଜନୈତିକ କ୍ୟାରିଅର ବାଜିରେ ଲାଗିଛି । କନକ ଏଠାରେ ୧୯୯୫ରୁ ୨୦୧୪ ଯାଏଁ ବିଧାୟକ ଥିଲେ । କିନ୍ତୁ ୨୦୧୪ରେ କନକଙ୍କୁ ହରାଇଥିଲେ ବିଜେଡିର ସରୋଜ ମେହେର । ଆଉ ଏବେ ୨୦୨୪ରେ ବି ଦୁଇଜଣ ମୈଦାନରେ ଅଛନ୍ତି ।

ବୀରମହାରାଜପୁର:ଏଠାରୁ ଲଢୁଛନ୍ତି ବିଜେଡିର ବଡ ନେତା ପଦ୍ମନାଭ ବେହେରା । ୨୦୦୯ରୁ ୨୦୧୯ ଯାଏଁ ଏଠାରୁ ବିଧାୟକ ଅଛନ୍ତି ପଦ୍ମନାଭ । ସର୍ଭେ ଅନୁସାରେ, ଏଥର ପଦ୍ମନାଭଙ୍କୁୁ କଡା ଟକ୍କର ଦେଉଛନ୍ତି ବିଜେପିର ରଘୁନାଥ ଜଗଦଲା ।

ସମ୍ବଲପୁୁର- ଏହି ବିଧାନସଭା ଆସନରେ ଏଥର ରାଜ୍ୟ ରାଜନୀତିର ଦୁଇ ଜଣାଶୁଣା ଚେହେରା ବିଜେପିରୁ ଜୟନାରାୟଣ ମିଶ୍ର ଓ ବିଜେଡିରୁ ରୋହିତ ପୂଜାରୀ ଲଢୁଛନ୍ତି । ରୋହିତଙ୍କୁ ମୈଦାନକୁ ଆଣି ୪-୪ ଥର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଗଡକୁ ଧ୍ୱସ୍ତ କରିବା ଲକ୍ଷ୍ୟରେ ଅଛି ବିଜେଡି ।

ପରଜଙ୍ଗ- ପରଜଙ୍ଗରୁ ଲଢୁଛନ୍ତି ବିଜେଡିର ବଡ ନେତା ନୃସିଂହ ସାହୁ । ୩-୩ ଥରର ବିଧାୟକ ନୃସିଂହ ସାହୁ ଏଥର ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନଙ୍କଠାରୁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି । ଗତଥର ଏଠାରେ ନୃସିଂହ ସାହୁ ମାତ୍ର ୭୪୦ ଭୋଟରେ ଜିତିଥିଲେ । ଆଉ ୨୦୧୯ରେ ମୈଦାନରେ ଅଛନ୍ତି ନୃସିଂହ ସାହୁ ଓ ବିଭୂତି ଭୂଷଣ ପ୍ରଧାନ ।

ଭୁବନେଶ୍ୱର ମଧ୍ୟ: ଏଠାରେ ଏଥର ହାଇପ୍ରୋଫାଇଲ ଲଢେଇ ହେଉଛି । ଏଠାରୁ ଲଢୁଛନ୍ତି ବିଜେଡିରୁ ଅନନ୍ତ ଜେନା ଓ ବିଜେପିରୁ ଜଗନ୍ନାଥ ପ୍ରଧାନ । ଗତଥର ବି ଏହି ଦୁଇ ପ୍ରାର୍ଥୀ ମୁହାଁମୁହିଁ ହୋଇଥିଲେ ।

ବ୍ରହ୍ମଗିରି: ଏହି ଆସନରେ କିଏ ଜିତିବ ତାକୁ ନେଇ ଏବେ ସାରା ରାଜ୍ୟରେ ଉକ୍ରଣ୍ଠା ବଢିଛି । ଏଠାରୁ ବିଜେପିରୁ ଲଢୁଛନ୍ତି ଉପାସନା ମହାପାତ୍ର ଓ ବିଜେଡିରୁ ଉମା ସାମନ୍ତରାୟ । ଏଠାରେ ବଡ ଲଢେଇ ହେଉଥିବା ଦେଖିବାକୁ ମିଳିଛି ।

ନୀଳଗିରି:ନୀଳଗିରିରେ ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ଭୋଟର । କାରଣ ଏଠାରେ ଗତଥରର ବିଜେପି ପ୍ରାର୍ଥୀ ତଥା ବିଧାୟକ ସୁକାନ୍ତ ନାୟକ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ଆଉ ଗତଥରର ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ବିଜେପିରୁ ଲଢୁଛନ୍ତି । ସର୍ଭେ ଅନୁସାରେ ଏଥର ଏଠାରେ କଡା ଟକ୍କର ହେଉଛି । ଗତଥର ଏଠାରେ ବିଜୟର ବ୍ୟବଧାନ ବହୁତ କମ ଥିଲା ।

ଚାନ୍ଦବାଲି: ଏହି ଆସନରେ ବି ବିଜେଡି-ବିଜେପି ମଧ୍ୟରେ ରୋଚକ ମୁକାବିଲା ହେବ ବୋଲି ସର୍ଭେ କହୁଛି । ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ଲଢୁଛନ୍ତି ବିଜେଡି ଯୁବ ନେତା ବ୍ୟୋମକେଶ ରାୟ । ଏହି ଆସନ ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି ।

ସେହିଭଳି ଲୋକସଭା ଆସନ ମଧ୍ୟରେ
ଲୋକସଭା
କଡା ଟକ୍କର : ସମ୍ବଲପୁର , ଭୁବନେଶ୍ୱର, ବଲାଙ୍ଗୀର , ବାଲେଶ୍ୱର ରେ କଡା ଟକ୍କର ହୋଇପାରେ । ଏଥିମଧ୍ୟରୁ ଭୁବନେଶ୍ୱର ଓ ସମ୍ବଲପୁର ଆସନ ବିଜେଡି ଓ ବିଡେପି ପାଇଁ ସମ୍ମାନ ପ୍ରଶ୍ନ ପାଲଟିଛି । ସର୍ଭେ ଅନୁସାରେ, ୧୬ଟି ଆସନରେ ଫଳାଫଳ ଆସିବା ପାଇଁ ଭୋଟରଙ୍କୁ ଅନ୍ତିମ ରାଉଣ୍ଡ ଯାଏଁ ଅପେକ୍ଷା କରିବାକୁ ପଡିପାରେ ।