ଆମିରଙ୍କର କଣ ଔକାତ ଅଛି, ଟିମ୍ ଇଣ୍ଡିଆ ଜିନ୍ଦାବାଦ ଥିଲା, ଅଛି ଆଉ ରହିବ । ପାକ୍ କ୍ରିକେଟରଙ୍କ ଧଜିଆ ଉଡାଇଲେ ହରଭଜନ ।

194

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ଭାରତ ପରାଜିତ ହେବା ପରେ ଉଭୟ ଦେଶର ପ୍ରଂଶସକ ଓ ପୂର୍ବତନ ଖେଳାଳୀଙ୍କ ମଧ୍ୟରେ ଶବ୍ଦ ଯୁଦ୍ଧ ଜାରି ରହିଛି । ଖାସକରି ସୋସିଆଲ ମିଡ଼ିଆରେ ଏହି ଶବ୍ଦ ଯୁଦ୍ଧ ଅଧିକ ଦେଖିବାକୁ ମିଳୁଛି । ଯେଉଁଥିରେ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ଓ ପୂର୍ବ ପାକ୍ କ୍ରିକେଟର ମହମ୍ମଦ ଆମିରଙ୍କ ଟ୍ୱିଟ୍ ୱାରକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଆଉ ଏହି ଟ୍ୱିଟ୍ ୱାରରେ ହରଭଜନଙ୍କ ଗୋଟିଏ ଗୋଟିଏ ଟ୍ୱିଟ୍ ପାକ୍ କ୍ରିକେଟର ଆମିରଙ୍କ ମୁହଁ ଚୁପ୍ କରିଦେଇଛି । ସୋସିଆଲ ମିଡ଼ିଆରେ ଆମିରଙ୍କ ଧଜିଆ ଉଡାଇଛନ୍ତି ହରଭଜନ । ଆଉ ଏସବୁ ଭିତରେ ଏକ ଭିଡ଼ିଓ ଜାରି କରି ପୂରା ଘଟଣା କହିଛନ୍ତି ହରଭଜନ ।

ଟିମ୍ ଇଣ୍ଡିଆ ଜିନ୍ଦାବାଦ ଥିଲା, ଅଛି ଆଉ ରହିବ ମଧ୍ୟ । ଏଭଳି କହି ହରଭଜନ ଭିଡ଼ିଓ ଶେଷ କରିଛନ୍ତି ସତ । କିନ୍ତୁ ଭିଡ଼ିଓ ଆରମ୍ଭରୁ ପୂରା ଘଟଣା କହିଛନ୍ତି । ହରଭଜନ କହିଛନ୍ତି, ଭାରତ-ପାକିସ୍ତାନ ମ୍ୟାଚ ପରେ ଲୋକଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳେ । ଏହା ସାଧାରଣ କଥା । ସୋସିଆଲ ମିଡ଼ିଆରେ ସୋଏବ ଅଖତର ଓ ମୋ ମଧ୍ୟରେ ବି ଏଭଳି କଥା କଟାକଟି ହେଉ । ସୋଏବ ପାକିସ୍ତାନ ଟିମର ପ୍ରଂଶସା କରୁଥିବା ବେଳେ ମୁଁ ଭାରତୀୟ ଟିମକୁ ପ୍ରଂଶସା କରେ । ଯେହେତୁ ଆମେ ପରସ୍ପରକୁ ଦୀର୍ଘ ସମୟ ଧରି ଜାଣିଛୁ, ଅନେକ ମ୍ୟାଚ୍ ଖେଳିଛୁ । ତେଣୁ ବ୍ୟକ୍ତିଗତସ୍ତରକୁ ଯାଇ କୌଣସି ଅଶାଳୀନ ମନ୍ତବ୍ୟ ଦେଇନଥାଉ ।

ଭାରତ ବିପକ୍ଷରେ ପାକିସ୍ତାନ ଭଲ ପ୍ରଦର୍ଶନ କଲା । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁ କ୍ଷେତ୍ରରେ ପାକିସ୍ତାନ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଆଉ ଏହି ପରାଜୟକୁ ମଧ୍ୟ ଆମେ ସ୍ୱୀକାର କରିଛୁ । କଥା ଏତିକିରେ ଶେଷ ହୋଇଥିଲା । କିନ୍ତୁ ଏଥିରେ ବିନା କାରଣରେ ମୁଣ୍ଡ ପୂରାଇଥିଲେ ଆମିର । କିନ୍ତୁ ଏଠି ମୁଁ ପ୍ରଶ୍ନ ପଚାରିବାକୁ ଚାହୁଁଛି କିଏ ଏହି ଆମିର? ଯିଏ କିଛି ଟଙ୍କା ପାଇଁ ନିଜ ଦେଶ ସହ ଧୋକା କରିଛି । ଏହାଛଡା ଆମିରଙ୍କ ସହ ଟ୍ୱିଟରରେ ଲଢେଇ କରି କିଛି ଲାଭ ନାହିଁ । ଆମିରଙ୍କର କଣ ଔକାତ ଅଛି ଯେ, ମୁଁ ତାଙ୍କ ସହ କଥା ହେବି । ଆମିରଙ୍କ ଟ୍ୱିଟର ଯେତେ ରିପ୍ଲାଏ କରିବି ମୁଁ ନିଜେ ସେତିକି ତଳକୁ ଖସିଯିବି । କ୍ରିକେଟ ଖେଳରେ ଆମିର ଯେଉଁ କଳା ଅଧ୍ୟାୟ ସୃଷ୍ଟି କରିଛନ୍ତି ତାହାକୁ କେବେ ଭୁଲିବେ ନାହିଁ କ୍ରିକେଟପ୍ରେମୀ । ଯେଉଁ ବ୍ୟକ୍ତି କିଛିଟା ଟଙ୍କା ପାଇଁ ନିଜର ସମ୍ମାନ ଓ ଦେଶ ସହ ଧୋକା କରିବାକୁ ପଛାଏ ନାହିଁ ତାଙ୍କୁ କୌଣସି ପ୍ରତିଜବାବ ଦେବାର ଆବଶ୍ୟକତା ନାହିଁ । କାରଣ ଆମିର ଅଲାଜୁକ ଥିଲେ ଓ ଅଲାଜୁକ ରହିବେ ।

ଏହାସହ ହରଭଜନ ପାକିସ୍ତାନୀ ପ୍ରଂଶସକଙ୍କୁ କହିଥିଲେ ତୁମେ ନିଜ ଟିମକୁ ସମର୍ଥନ କର, ଆମେ ଆମ ଟିମକୁ ଚିୟର କରୁଛୁ । ଆମ ଟିମ୍ ଜିନ୍ଦାବାଦ ଥିଲା, ଅଛି ଆଉ ରହିବ ମଧ୍ୟ ।