ଚୟନକର୍ତ୍ତାଙ୍କୁ ଲାଜ ଲାଗିବା କଥା, କାହିଁକି ଖପ୍ପା ହେଲେ ହରଭଜନ? 

265

କନକ ବ୍ୟୁରୋ : ସୋସିଆଲ ମିଡ଼ିଆରେ ବେଶ ଆକ୍ଟିଭ ରହୁଥିବା ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ଏବେ ଟିମ୍ ଇଣ୍ଡିଆର ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଟିମ୍ ଘୋଷଣା ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ-ଏ ଟିମ୍ ଘୋଷଣା ହୋଇଛି । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଯେଉଁ ଟିମ୍ ଘୋଷଣା ହୋଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଯୁବ ଖେଳାଳୀ । ଯେଉଁମାନେ ଭବିଷ୍ୟତରେ ଟିମ୍ ଇଣ୍ଡିଆ ପାଇଁ ଖେଳିବାକୁ ସୁଯୋଗ ପାଇପାରନ୍ତି । ଖାସକରି ଘରୋଇ କ୍ରିକେଟରେ ଯେଉଁମାନେ ଦମଦାର ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ସୁଯୋଗ ଦିଆଯାଉଛି । ତେବେ ଭାରତୀୟ-ଏ ଟିମ ଘୋଷଣା ହୋଇଥିବା ବେଳେ ଏହାକୁ ନେଇ ଖୁସି ନାହାନ୍ତି ହରଭଜନ । ଏପରିକି ଚୟନକର୍ତ୍ତାଙ୍କୁ ଲାଜ ଲାଗିବା ଉଚିତ ବୋଲି କହିଛନ୍ତି ହରଭଜନ ।

ହରଭଜନ ଏମିତି କହିବା ପଛରେ ବଡ କାରଣ ରହିଛି । ଭାରତୀୟ-ଏ ଦଳରେ ଜଣେ ଉଦୀୟମାନ ଖେଳାଳୀଙ୍କୁ ସାମିଲ ନକରିବା କାରଣରୁ ହରଭଜନ ଚୟନକର୍ତ୍ତାଙ୍କ ଉପରେ ଖପ୍ପା ହୋଇଛନ୍ତି । ଘରୋଇ କ୍ରିକେଟର ପ୍ରଦର୍ଶନ ଭିତ୍ତିରେ ଯଦି ଭାରତୀୟ-ଏ ଦଳ ଘୋଷଣା କରାଯାଇଛି ତେବେ ସୌରାଷ୍ଟ୍ରର ବ୍ୟାଟର ସେଲଡନ ଜ୍ୟାକସନଙ୍କୁ କାହିଁକି ଦଳରେ ସାମିଲ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଯୁବ ଖେଳାଳୀ ସେଲଡନ ଜ୍ୟାକସନଙ୍କୁ ନା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ମିଳିଛି ନା ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ-ଏ ଟିମରେ ସ୍ଥାନ ମିଳିଛି । ଯାହାକୁ ନେଇ ହରଭଜନ କହିଛନ୍ତି, ୨୦୧୮-୧୯ ରଣଜୀ ସିଜିନରେ ୮୫୪ ରନ୍ ଓ ୨୦୧୯/୨୦ ରଣଜୀ ସିଜିନରେ ୮୦୯ କରିବା ସହ ଟିମକୁ ଚାମ୍ପିୟନ କରିବାରେ ବଡ ଭୂମିକା ରହିଥିଲା । ଏହାଛଡା ଚଳିତବର୍ଷ ସେଲଡନ ଜବରଦସ୍ତ ଫର୍ମରେ ରହିଛନ୍ତି । ଏହାସତ୍ତେ୍ୱ ମଧ୍ୟ ଭାରତୀୟ-ଏ ଟିମରେ ସେଲଡନଙ୍କୁ ସ୍ଥାନ ମିଳିଲା ନାହିଁ । ରନ୍ କରିବା ଛଡା ଆଉ କଣ କଲେ ଭାରତ ପକ୍ଷରୁ ଖେଳିବାକୁ ସୁଯୋଗ ମିଳିବ ତାହା ସେଲଡନଙ୍କୁ କହିବେ କି ଚୟନକର୍ତ୍ତା ।  ଏଭଳି ଟ୍ୱିଟ୍ କରି ଚୟନକର୍ତ୍ତାଙ୍କୁ ଟାର୍ଗେଟ କରିଛନ୍ତି ହରଭଜନ ।

ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସେଲଡନ ଜ୍ୟାକସନଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଗତ ୩ଟି ମ୍ୟାଚରେ ସେଲଡନ ଯଥାକ୍ରମେ ୬୨, ୭୦ ଓ ୭୯ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି । ସେହିଭଳି ଫାଷ୍ଟ କ୍ଲାସ କ୍ରିକେଟରେ ୫୦ରୁ ଅଧିକ ଆଭରେଜରେ ୫୬୩୪ ରନ କରିଛନ୍ତି ସେଲଡନ । ଏହାସତ୍ତେ୍ୱ ମଧ୍ୟ ଟିମରେ ସେଲଡନଙ୍କୁ ଟିମରେ ସ୍ଥାନ ନ ମିଳିବା କାରଣରୁ ଖପ୍ପା ହୋଇଛନ୍ତି ହରଭଜନ ।