କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ଦମଦାର ଫର୍ମରେ ରହିଛି ଟିମ୍ ଇଣ୍ଡିଆ । ୫ଟି ମ୍ୟାଚରୁ ୫ଟିରେ ବିଜୟୀ ହେବା ଏବେ ପର୍ଯ୍ୟନ୍ତ ଅପରାଜେୟ ରହିଛି ରୋହିତ ବାହିନୀ । ଏହାସହ ସେମିଫାଇନାଲ ଆଡକୁ ପାଦ ବଢାଉଛି ମେନ୍ ଇନ୍ ବ୍ଲୁ । ଇଂଲଣ୍ଡ ବିପକ୍ଷରେ ଥିବା ଆଗାମୀ ମ୍ୟାଚରେ ବିଜୟୀ ହେଲେ ଭାରତକୁ ସେମିଫାଇନାଲ ଟିକେଟ ମିଳିବା ଏକପ୍ରକାର ନିଶ୍ଚିତ ହୋଇଯିବ । ଆସନ୍ତା ୨୯ ତାରିଖରେ ଇଂଲଣ୍ଡ ବିପକ୍ଷରେ ବିଜୟର ଛକା ମାରିବାକୁ ମୈଦାନକୁ ଓହ୍ଲାଇବ ଭାରତ । ତେବେ ଇଂଲଣ୍ଡ ବିପକ୍ଷରେ କାହାକୁ ସୁଯୋଗ ମିଳିବ ତାହାକୁ ନେଇ ଅନେକ ସସପେନ୍ସ । କାରଣ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଚୂଡାନ୍ତ ଏକାଦଶରେ କିଏ ସ୍ଥାନ ପାଇବ ତାହା ଶେଷ ପର୍ଯ୍ୟନ୍ତ ଅସ୍ପଷ୍ଟ ରହୁଛି । ଏଭଳି ସ୍ଥିତିରେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ବଡ ବୟାନ ଦେଇଛନ୍ତି ।

Advertisment

ହରଭଜନ ସିଂ କହିଛନ୍ତି, ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅଶ୍ୱିନୀଙ୍କୁ ସୁଯୋଗ ମିଳିବା ଉଚିତ୍ । ତେଣୁ ଅଶ୍ୱିନୀଙ୍କୁ ଦଳରେ ସାମିଲ କରି ୩ ଜଣ ସ୍ପିନରଙ୍କୁ ନେଇ ରୋହିତ ମୈଦାନକୁ ଓହ୍ଲାଇବା ଉଚିତ । କୁଳଦୀପ ଯାଦବ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି, ଜାଡେଜାଙ୍କ ପ୍ରଦର୍ଶନ ମଧ୍ୟ ବେଶ ପ୍ରଭାବୀ ରହିଛି । ଏହାବାଦ୍ ଇଂଲଣ୍ଡ ଟିମ୍ ସ୍ପିନରଙ୍କୁ ଖେଳିବାକୁ ସଂଘର୍ଷ କରିଥାନ୍ତି । ଚଳିତ ବିଶ୍ୱକପରେ ଇଂଲଣ୍ଡ ସେଭଳି ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଏଭଳିସ୍ଥିତିରେ ଲକ୍ଷ୍ନୌରେ ଯଦି ସ୍ପିନରଙ୍କୁ ସୁହାଇବା ଭଳି ପିଚ୍ ମିଳେ ତେବେ ଇଂଲଣ୍ଡ ପାଇଁ ବଡ ସମସ୍ୟା ସୃଷ୍ଟି କରିବ । ଯଦି  ଇଂଲଣ୍ଡ ବିପକ୍ଷରେ ଯଦି ଅଶ୍ୱିନୀଙ୍କୁ ସୁଯୋଗ ମିଳେ ତେବେ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯିବା ଉଚିତ । କାରଣ ସିରାଜ ଲଗାତାର ୫ଟି ମ୍ୟାଚ୍ ଖେଳିଲେଣି । ଏହାଛଡା ସିରାଜଙ୍କୁ ବିଶ୍ରାମ ଦେଇ ଅଶ୍ୱିନୀଙ୍କୁ ଖେଳାଇବାରେ ସମସ୍ୟା ମଧ୍ୟ ନାହିଁ । କାରଣ ମହମ୍ମଦ ସାମି ଗତ ମ୍ୟାଚରେ ଦମଦାର ପ୍ରଦର୍ଶନ କରିବା ସହ ୫ଟି ୱିକେଟ ଅକ୍ତିଆର କରିଥିଲେ ।

ଚଳିତ ବିଶ୍ୱକପରେ ଅଶ୍ୱିନୀ କେବଳ ଗୋଟିଏ ମ୍ୟାଚ୍ ଖେଳିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିବା ଅଶ୍ୱିନୀଙ୍କୁ ପରବର୍ତ୍ତୀ ମ୍ୟାଚରେ ସୁଯୋଗ ମିଳିନାହିଁ । କିନ୍ତୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସୁଯୋଗ ମିଳିବା ଉଚିତ୍ ବୋଲି କହିଛନ୍ତି ହରଭଜନ । ଅନ୍ୟପଟେ ପୂର୍ବତନ ଚାମ୍ପିୟନ ଇଂଲଣ୍ଡ ୫ଟି ମ୍ୟାଚରୁ ୪ଟିରେ ପରାଜିତ ହୋଇ ସେମିଫାଇନାଲ ରେସରୁ ଏକପ୍ରକାର ଆଉଟ ହୋଇ ସାରିଛି ।