କନକ ବ୍ୟୁରୋ: ଭାରତୀୟ ପୂର୍ବତନ କ୍ରିକେଟର ହରଭଜନ ସିଂ ଅବସର ପରେ ଏବେ ଚର୍ଚ୍ଚାରେ ରହିଛନ୍ତି । ଦଳରେ ଚୟନକୁ ନେଇ ତାଙ୍କ ସହ ହୋଇଥିବା ଅନ୍ୟାୟ ପାଇଁ ସେ ଏବେ ଚୟନକର୍ତ୍ତାଙ୍କ ଉପରେ ବର୍ଷୁଛନ୍ତି । ହରଭଜନ ୨୦୦୭ ଓ ୨୦୧୧ ବିଶ୍ୱକପରେ ଟିମ ଇଣ୍ଡିଆର ପ୍ରମୁଖ ଖେଳାଳି ରହିଥିଲେ । ହେଲେ ୨୦୧୫ ବିଶ୍ୱକପରେ ତାଙ୍କୁ ଦଳରେ ସ୍ଥାନ ମିଳିନଥିଲା ।

Advertisment

ଏବେ ହରଭଜନଙ୍କୁ ଯୁବରାଜ, ଜାହିର ଖାନ, ବୀରେନ୍ଦ୍ର ସେହୱାଗ ଓ ଗୌତମ ଗମ୍ଭୀରଙ୍କ ସହ ଆଉ ଏକ ବିଶ୍ୱକପ ଖେଳିବାର ଇଚ୍ଛା ରହିଥିଲା । ୨୦୧୫ ବିଶ୍ୱକପକୁ ମନେ ପକାଇ ଭଜି କହିଛନ୍ତି କି, ମୁଁ ଆଉ ଅନ୍ୟ ୪ ଜଣ ଖେଳାଳି ଧୋନୀଙ୍କ ନେତୃତ୍ୱାଧିନ ଟିମରେ ଥିବା ଖେଳାଳିଙ୍କଠାରୁ ଯଥେଷ୍ଟ ଫିଟ ଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି କି, ଯୁବରାଜ ଓ ସେହୱାଗଙ୍କ ଭଳି ସାଥୀ ଖେଳାଳିଙ୍କ ସହ ଆଉ ଏକ ବିଶ୍ୱକପ ଖେଳିବାର ଇଚ୍ଛା ଥିଲା । ଯେବେ ମୁଁ ୪୦୦ ଟେଷ୍ଟ ୱିକେଟ ନେଇଥିଲି ମତେ ୩୧ ବର୍ଷ ହୋଇଥିଲା । ଆଉ ସେତେବେଳେ ମୁଁ ପୂରା ଫିଟ ଥିଲି । ଆଉ ୨୦୧୫ ବିଶ୍ୱକପରେ ବି ମୁଁ ଭଲ ପ୍ରଦର୍ଶନ କରିପାରିଥାନ୍ତି ।

ହରଭଜନ ସେ ମୁହୂର୍ତ୍ତକୁ ବି ମନେ ପକାଇଲେ ଯେବେ ସେ ଓ ଅନ୍ୟ ଷ୍ଟାର ଖେଳାଳିଙ୍କ ଅବସର ଘୋଷଣା ପରେ ପୂରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଥିଲା । ଏହାସହ ସେ ବିସିସିଆଇକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।