ଏଥର ଆଇପିଏଲରେ ଆଉ ଦେଖିବାକୁ ମିଳିବନି ହରଭଜନ ସିଂଙ୍କ ଚମକ: ବ୍ୟକ୍ତିଗତ କାରଣ ଦର୍ଶାଇ ସୁପର କିଙ୍ଗସ୍ କ୍ୟାମ୍ପରୁ ଓହରିଗଲେ ଭଜି

ଟୁଇଟ୍ କରି ସୂଚନା ଦେଲା ଚେନ୍ନାଇ ସୁପର କିଙ୍ଗସ୍

141

କନକ ବ୍ୟୁରୋ: ଯେତେ ଯାହା କଲେ ବି ଦୂର ହେଉନି ଚେନ୍ନାଇ ସୁପର କିଙ୍ଗସର ସମସ୍ୟା । ପ୍ରଥମେ ଅଲରାଉଣ୍ଡର ସୁରେଶ ରାଇନା, ଏବେ ସୁପର କିଙ୍ଗସରୁ ଓହରି ଯାଇଛନ୍ତି ଷ୍ଟାର ସ୍ପିନର ହରଭଜନ ସିଂ । ଫଳରେ ରାଇନାଙ୍କ ପରି ଏଥର ଆଇପିଏଲରେ ଦର୍ଶକ ଚେନ୍ନାଇ ଜର୍ସିରେ ଦେଖିବାକୁ ପାଇବେନି ହରଭଜନ ସିଂଙ୍କ ଚମକ । ହରଭଜନ ସିଂ ବ୍ୟକ୍ତିଗତ କାରଣ ଦର୍ଶାଇ ସୁପର କିଙ୍ଗସ୍ କ୍ୟାମ୍ପରୁ ଓହରି ଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସ୍ ଅଫିସିଆଲ୍ ।

ଆଇପିଏଲ୍ ଆରମ୍ଭ ହେବାକୁ ଆଉ ମାତ୍ର ୨ ସପ୍ତାହ ଥିବା ବେଳେ ହରଭଜନଙ୍କ ଚେନ୍ନାଇ କ୍ୟାମ୍ପରୁ ଓହରି ଯିବା ଦଳ ପାଇଁ ଶକ୍ତ ଝଟକା ହୋଇଛି । ଏବେ ସିଏସକେ ହରଭଜନଙ୍କ ବଦଳରେ ତାଙ୍କର ବଦଳ ଖେଳାଳିଙ୍କୁ ନେଇ ଚିନ୍ତା କରିବ । ହରଭଜନ ସିଂ ଭାରତ ପକ୍ଷରୁ ୧୦୩ ଟେଷ୍ଟ, ୨୩୬ ଦିନିକିଆ, ୨୮ଟି ଟି ୨୦ ଖେଳିଛନ୍ତି । ସେହିପରି ବିଭିନ୍ନ ଆଇପିଏଲ୍ ଟିମ ପକ୍ଷରୁ ହରଭଜନ ୧୬୦ଟି ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ୧୫୦ଟି ୱିକେଟ୍ ଦଖଲ କରିଛନ୍ତି । ୨୦୧୩ ସିଜିନରେ ମୁମ୍ୱାଇ ଇଣ୍ଡିଆନ୍ସ ଚାମ୍ପିଅନ୍ ହେବାରେ ହରଭଜନଙ୍କ ବଡ ଭୂମିକା ରହିଥିଲା । ଗତବର୍ଷ ମୁମ୍ୱାଇ ଇଣ୍ଡିଆନ୍ସ ଠାରୁ ସଂପର୍କ ଛିନ୍ନ କରି ହରଭଜନ ସିଂ ଚେନ୍ନାଇ ସୁପର କିଙ୍ଗସ୍ ସହିତ ସାମିଲ ହୋଇଥିଲେ ।