କନକ ବ୍ୟୁରୋ : ଆଇପିଏଲ ମହାନିଲାମୀର ପ୍ରଥମ ଦିନରେ ଆଶ୍ଚର୍ଯ୍ୟ କଲାଭଳି ଅନେକ ଘଟଣା ଘଟିଥିଲା । ଅଧିକାଂଶ ଯୁବ ଖେଳାଳୀଙ୍କ ଉପରେ କୋଟି କୋଟି ଟଙ୍କା ଫ୍ରାଞ୍ଚାଇଜ ଖର୍ଚ୍ଚ କରୁଥିବା ବେଳେ ଏକଦା ମିଷ୍ଟର ଆଇପିଏଲ ଥିବା ସୁରେଶ ରୈନାଙ୍କୁ କୌଣସି ଟିମ୍ କିଣିନଥିଲେ । ଏପରିକି ଚେନ୍ନାଇ ମଧ୍ୟ ରୈନାଙ୍କ ପାଇଁ ଏତେଟା ଉତ୍ସାହିତ ନଥିଲା । ଆଉ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରୈନାଙ୍କ ଭଳି ଏକାକୀ ମ୍ୟାଚ୍ ଜିତାଇ ପାରୁଥିବା ଖେଳାଳୀଙ୍କୁ କୌଣସି ଟିମ୍ ନ କିଣିବା ନିଷ୍ପତ୍ତିକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ଆଶ୍ଚର୍ଯ୍ୟ ହୋଇଛନ୍ତି ।
ହରଭଜନ କହିଛନ୍ତି, ରୈନାଙ୍କୁ କୌଣସି ଫ୍ରାଞ୍ଚାଇଜ ନ କିଣିବା ସବୁଠୁ ଦୁଃଖଦାୟକ ମୁହୂର୍ତ୍ତ । କେବଳ ରୈନା କାହିଁକି ଉମେଶ ଯାଦବ ଭଳି ଖେଳାଳୀଙ୍କୁ ମଧ୍ୟ କୌଣସି ଦଳ ନିଜ ଟିମରେ ସାମିଲ ନ କରିବା ଆଶ୍ଚର୍ଯ୍ୟ କରିଛି । ଉମେଶ ଦୀର୍ଘ ଦିନ ହେବ କ୍ରିକେଟ ଖେଳି ଆସୁଛନ୍ତି । ଏପରିକି ଟିମ୍ ଇଣ୍ଡିଆର ନିୟମିତ ବୋଲରଙ୍କ ମଧ୍ୟରେ ଉମେଶ ରହିଛନ୍ତି । ଏହାସତ୍ତେ୍ୱ ମଧ୍ୟ ଉମେଶଙ୍କୁ କେହି ନ କିଣିବା ବେଶ କଷ୍ଟଦାୟକ । ତେବେ ଉମେଶଙ୍କୁ ଆଜି କୌଣସି ଟିମ୍ କିଣିପାରେ ବୋଲି ହରଭଜନ ଆଶା ପ୍ରକାଶ କରିଛନ୍ତି । କିନ୍ତୁ ରୈନାଙ୍କ ପାଇଁ ଏହା ସହଜ ନୁହେଁ । କାରଣ ରୈନା ଏବେ କ୍ରିକେଟ ଠାରୁ ବେଶ ଦୂରରେ ।
ଚେନ୍ନାଇ ସୁପର କିଙ୍ଗସ ପାଇଁ ଦୀର୍ଘ ବର୍ଷ ହେବ ଖେଳି ଆସିଛନ୍ତି ରୈନା । ତେବେ ଗତ ଆଇପିଏଲ ସିଜିନରେ ରୈନାଙ୍କ ଫର୍ମ ଚେନ୍ନାଇର ଚିନ୍ତାକୁ ବଢାଇ ଦେଇଥିଲା । ଯେଉଁଥିପାଇଁ ଅନେକ ମ୍ୟାଚରେ ଚୂଡାନ୍ତ ଏକାଦଶରେ ବି ରୈନାଙ୍କୁ ସ୍ଥାନ ମିଳିନଥିଲା । ଯେଉଁଥିପାଇଁ ରୈନାଙ୍କୁ ରିଟେନ କରିନଥିଲା ଚେନ୍ନାଇ । କେବଳ ରୈନା ନୁହଁନ୍ତି ଚଳିତ ଆଇପିଏଲ ମହାନିଲାମୀରେ ଷ୍ଟିଭ ସ୍ମିଥ, ଅମିତ ମିଶ୍ରା, ଉମେଶ ଯାଦବ, ଡେଭିଡ ମିଲର, ସାକିବ-ଅଲ-ହାସନ, ମହମ୍ମଦ ନବିଙ୍କ ଭଳି ବଡ ଚେହେରାଙ୍କୁ ମଧ୍ୟ କୌଣସି ଫ୍ରାଞ୍ଚାଇଜ କିଣିନାହିଁ ।