ଯେବେ ହରଭଜନଙ୍କୁ ବାଡେଇବାକୁ ହୋଟେଲରେ ପହଞ୍ଚିଥିଲେ ଅଖତର…. । କିନ୍ତୁ କାହିଁକି?

326

କନକ ବ୍ୟୁରୋ : ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍ ହେଲେ ଷ୍ଟାଡିୟମରେ ଯେଉଁଭଳି ଉଭୟ ଦେଶର ପ୍ରଂଶସକ ମାନେ ମୁହାଁମୁହିଁ ହୁଅନ୍ତି ଠିକ୍ ସେହିଭଳି ପଡିଆରେ ବି ଖେଳାଳୀଙ୍କ ମଧ୍ୟରେ ସମାନ ଦୃଶ୍ୟ ଦେଖିବାକୁ ମିଳେ । ମ୍ୟାଚ୍ ଚାଲୁଥିବା ବେଳେ ଉଭୟ ଦେଶର ଖେଳାଳୀ ପରସ୍ପରକୁ ଉସକାଇବା ଠାରୁ ଆରମ୍ଭ କରି ଖେଳ ସରିବା ପରେ ବି ବୟାନବାଜିରୁ ବିରତ ରୁହନ୍ତି ନାହିଁ । ଏପରିକି ଅନେକ ମ୍ୟାଚରେ ଏହାର ନଜିର ରହିଛି । ଖାସକରି ଭାରତୀୟ ସ୍ପିନର ହରଭଜନ ସିଂ ଓ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତରଙ୍କ ଭିତରେ ତୁତୁମେଁମେଁ ଅଧିକ ଦେଖିବାକୁ ମିଳେ । କିନ୍ତୁ ଉଭୟଙ୍କ ମଧ୍ୟରେ ଏମିତି ଏକ ବିବାଦ ଉପୁଜିଥିଲା ଯେଉଁଥିପାଇଁ ହରଭଜନଙ୍କୁ ବାଡେଇବାକୁ ହୋଟେଲ ରୁମ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । ଏନେଇ ଏକ ସାକ୍ଷାତକାର ସମୟରେ କହିଛନ୍ତି ଅଖତର ।

ସୋଏବଙ୍କ କହିବା ଅନୁଯାୟୀ, ମୁଁ ହରଭଜନଙ୍କୁ ବାଡେଇବାକୁ ହୋଟେଲ ରୁମ୍ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲି । ହରଭଜନ ପଞ୍ଜାବୀ ହୋଇଥିବାରୁ ଆମ ସାଙ୍ଗରେ ବେଳେ ବେଳେ ଖାଇବା ସହ ବୁଲିଥାନ୍ତି ମଧ୍ୟ । କିନ୍ତୁ ମ୍ୟାଚ୍ ମଝିରେ ହରଭଜନ ଯେଉଁଭଳି ବ୍ୟବହାର କଲେ ତାହାପରେ ମୁଁ ତାଙ୍କ ସହ ଲଢେଇ କରିବାକୁ ପ୍ରସ୍ତୁତ ହୋଇଯାଇଥିଲି । ଯେଉଁଥିପାଇଁ ହୋଟେଲରେ ପହଞ୍ଚିଥିଲି, କିନ୍ତୁ ହୋଟେଲରେ ହରଭଜନ ସିଂ ନଥିଲେ । ଏହାପରଦିନ ହରଭଜନଙ୍କ ପାଇଁ ଆଉ ସେଭଳି ରାଗ ନଥିଲା ଏବଂ ସେ ମଧ୍ୟ ନିଜର ଭୁଲ ସ୍ୱୀକାର କରିଥିଲେ । ଏହି ଘଟଣା ଥିଲା ୨୦୧୦ ଭାରତ-ପାକିସ୍ତାନ ଏସିଆ କପ୍ ମ୍ୟାଚ୍ ସମୟର । ଯେଉଁଠି ପଡିଆ ମଝିରେ ମୁହାଁମୁହିଁ ହୋଇଥିଲେ ହରଭଜନ-ସୋଏବ ।

୨୦୧୦ ଏସିଆ କପରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଭାରତକୁ ଶେଷ ୭ଟି ବଲରେ ଜିତିବାକୁ ୭ ରନ୍ ଆବଶ୍ୟକ ଥିଲା । ବ୍ୟାଟିଂ କରୁଥିଲେ ହରଭଜନ, ବୋଲିଂ କରୁଥିଲେ ସୋଏବ । ନିଜ ଓଭରର ଶେଷ ବଲ ବାଉନ୍ସର ପକାଇ ହରଭଜନକୁ ଟାର୍ଗେଟ କରିଥିଲେ ସୋଏବ । ଆଉ ଏହାସହ ହରଭଜନଙ୍କୁ କିଛି କହିଥିଲେ । ଯାହାକୁ ନେଇ ଉଭୟ ହରଭଜନ-ସୋଏବଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା । କିନ୍ତୁ ଶେଷ ଓଭରରେ ମହମ୍ମଦ ଆମିରଙ୍କ ବଲରେ ଏକ ବିଶାଳ ଛକା ମାରି ଭାରତକୁ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ ହରଭଜନ । ଭାରତ ବିଜୟୀ ହେବା ପରେ ହରଭଜନ ଅତି ଉତ୍ସାହିତ ହେବା ସହ ପଡିଆ ମଝିରେ ବେଶ କିଛି ସମୟ ବ୍ୟାଟ ହଲାଇ ସେଲିବ୍ରେସନ କରିଥିଲେ । ଏପରିକି ସୋଏବଙ୍କ ଆଡକୁ ଅନାଇ କିଛି କହିଥିଲେ । ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ସୋଏବ । ମ୍ୟାଚ୍ ପରେ ଖେଳାଳୀ ହୋଟେଲକୁ ଯିବା ପରେ ହରଭଜନଙ୍କୁ ବାଡେଇବାକୁ ହୋଟେଲରେ ପହଞ୍ଚିଥିବା କହିଛନ୍ତି ସୋଏବ । କିନ୍ତୁ ହୋଟେଲରେ ସୋଏବ ପହଞ୍ଚିବା ବେଳକୁ ହରଭଜନ ହୋଟେଲରେ ନଥିଲେ । ଯେଉଁଥିପାଇଁ ଆଉ ଏକ ବଡ ବିବାଦ ଜନ୍ମ ନେବା ପୂର୍ବରୁ ହିଁ ଶେଷ ହୋଇଥିଲା । ଆଉ ଏହା ପରଦିନ ସୋଏବଙ୍କ ରାଗ ଶାନ୍ତ ହୋଇଥିବା ବେଳେ ହରଭଜନ ମଧ୍ୟ ନିଜ ଭୁଲ ସ୍ୱୀକାର କରିଥିବା କହିଛନ୍ତି ସୋଏବ ।