ମହିଳା ସଶକ୍ତିକରଣ ନେଇ ଆଗକୁ ବଢିଲା ସାଉଦି ଆରବ, ୨ ଟି ମସଜିଦରେ ୬୦୦ ମହିଳାଙ୍କୁ ମିଳିବ ଚାକିରୀ

122

କନକ ବ୍ୟୁରୋ : ମହିଳା ସଶକ୍ତିକରଣ ନେଇ ସାଉଦି ଆରବ ଗୁରୁତ୍ୱପ୍ରୂ୍ଣ୍ଣ ପଦକ୍ଷେପ ନେଇଛି । ହରମ ପ୍ରେସିଡେନ୍ସିରେ ୬୦୦ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ମହିଳାମାନଙ୍କୁ ୨ ଟି ବଡ ବଡ ମସଜିଦରେ ଭିନ୍ନ ଭିନ୍ନ କାମରେ ନିୟୋଜିତ କରାଯିବ ବୋଲି କୁହାଯାଇଛି । ଗଣମାଧ୍ୟମର ରିପୋର୍ଟ ମୁତାବକ ପବିତ୍ର ମସଜିଦର ଜେନରାଲ ପ୍ରେସିଢେନ୍ସି କହିଛନ୍ତି କି ନିଜର ଏଜେନ୍ସି ଓ ସହାୟକ ଏଜେନ୍ସି ମାଧ୍ୟମରେ ୬୦୦ ମହିଳା କର୍ମଚାରୀଙ୍କୁ ପ୍ରଶିକ୍ଷିତ କରାଯାଇଛି । ପ୍ରଶିକ୍ଷିତ ମହିଳାମାନଙ୍କ ମଧ୍ୟରୁ ମହିଳା ବିକାଶ ବିଭାଗର ଉପାଧ୍ୟକ୍ଷ ଅଲ୍-ଅନୌଦ ଅଲ୍ ଓବେଦଙ୍କ ନେତୃତ୍ୱରେ ୩୧୦ ଜଣ ମହିଳାଙ୍କୁ ରୋଜଗାର ଦିଆଯାଇଛି ।

ରିପୋର୍ଟ ମୁତାବକ କମୋଲିୟା ଅଲ-ଦାଦୀର ନେତୃତ୍ୱରେ ପାଖାପାଖି ୨୦୦ ମହିଳା ବୌଦ୍ଧିକ ଓ ମାର୍ଗଦର୍ଶନ ବିଭାଗର ଏଜେନ୍ସି ପାଇଁ କାମ କରୁଛନ୍ତି ଅନ୍ୟପଟେ ବାକି ମହିଳାମାନେ ପ୍ରଶାସନିକ ଓ ସେବା ଏଜେନ୍ସିରେ କାମ କରୁଛନ୍ତି ।

କହିରଖୁ କି ଏହା ପୂର୍ବରୁ ଚଳିତବର୍ଷ ଆରମ୍ଭରେ ସାଉଦିରେ ମହିଳା ସୈନିକଙ୍କୁ ସବୁଠାରୁ ପବିତ୍ର ସ୍ଥଳ କୁହାଯାଉଥିବା ମକ୍କା ଓ ମଦୀନାରେ କାମ କରିବାର ସୁଯୋଗ ଦିଆଯାଇଥିଲା । ସୁରକ୍ଷା କ୍ରମରେ ସାଉଦିର ମହିଳା ସୈନ୍ୟମାନେ ବର୍ଦ୍ଦି ପିନ୍ଧି ପ୍ରଥମଥର ପାଇଁ ମକ୍କାର ଗ୍ରାଣ୍ଡ ମସଜିଦର ସୁରକ୍ଷା ସ୍ଥିତି ଉପରେ ନଜର ରଖିଥିଲେ ।

ସୂଚନା ଥାଉକି ସାଉଦି ଆରବ ଭଳି ଦେଶରେ ମହିଳାମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଥାଏ । ହେଲେ ଏବେ ସାଉଦି ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସାରା ବିଶ୍ୱ ପ୍ରଶଂସା କରିବାରେ ଲାଗିଛନ୍ତି । ମକ୍କାର ଗ୍ରାଣ୍ଡ ମସଜିଦ-ଖାନା-ଏ-କାବା ରେ ଏହି ପ୍ରଶିକ୍ଷିତ ମହିଳାମାନେ ମହିଳା ତୀର୍ଥଯାତ୍ରୀଙ୍କ ସେବାରେ ଲାଗିଛନ୍ତି । ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନେତୃତ୍ୱରେ ଦେଶରେ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ କାମ କରିବାର ସୁଯୋଗ ଦିଆଯାଉଛି ।