କଳାହାଣ୍ଡି କପୁରମାଳ ଗାଁର ମିଠା ମକା ଚାଷୀ ହର ପଟେଲ: ୧ ଏକର ଜମିରେ ମକା ଚାଷ ସହ ଅନ୍ୟାନ୍ୟ ପନିପରିବା ଚାଷ କରିଛନ୍ତି ଚାଷୀ ହର ପଟେଲ

125

କନକ ବ୍ୟୁରୋ: ସୁଇଟକର୍ଣ୍ଣ ଚାଷ ଦେଉଛି ରୋଜଗାର । ପରିବାର ଗୁଜୁରାଣ ମେଂଟାଇବାରେ ସହାୟକ ହୋଇଛି ମିଠା ମକା । ସୁଇଟକର୍ଣ୍ଣ ବଦଳାଇ ଦେଇଛି ଚାଷୀଙ୍କ ଜୀବନ ଶୈଳୀ । ମିଠା ମକା ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଜୟପାଟଣା ବ୍ଲକ କପୁରମାଲ ଗାଁର ହର ପଟେଲ ।

ସକାଳ ହେଉ କିମ୍ବା ସଂଧ୍ୟା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବ ପିଢ଼ି ଏହାକୁ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ତେବେ ମିଠାମକା ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କପୁରମାଲ ଗାଁର ଯୁବ ଚାଷୀ ହର ପଟେଲ ଏବେ ଏହି ଚାଷ କରି ବେଶ ଲାଭବାନ ହୋଇଛନ୍ତି । କମ୍ ଖର୍ଚ୍ଚ କରି ପାଉଛନ୍ତି ଅଧିକ ଲାଭ । ମାତ୍ର ୮ରୁ ୧୦ ହଜାର ଟଙ୍କା ଖର୍ଚ୍ଚ କରି ୬୦ ହଜାର ଟଙ୍କା ରୋଜଗାର କରୁଛନ୍ତି ହର ପଟେଲ ।

୫ ବର୍ଷ ହେଲା ମିଠା ମକା ଚାଷ କରୁଛନ୍ତି ହର ପଟେଲ । ଖାଲି ମିଠା ମକା ନୁହେଁ ସେ କୋବି, କାକୁଟି, ବାଇଗଣ, ଭେଣ୍ଡି, ଟମାଟୋ ଓ ପୋଟଳ ଚାଷ ମଧ୍ୟ କରିଛନ୍ତି । ଉତ୍ପାଦିତ ଫସଲକୁ ସ୍ଥାନୀୟ ବଜାର ସହ ଆଖପାଖ ଅଂଚଳର ଲୋକଙ୍କୁ ବିକ୍ରି କରି ଭଲ ରୋଜଗାର କରୁଛନ୍ତି । ସ୍ଥାନୀୟ କୃଷି ଅଧିକାରୀଙ୍କ ପରାମର୍ଶ ନେଇ ଜୈବୀକ ପଦ୍ଧତିରେ ଏହି ଚାଷ କରୁଛନ୍ତି ହର । ରୁତୁ ଅନୁସାରେ ଚାଷୀ ଜଣଙ୍କ ନିଜ କ୍ଷେତରୁ ବାର୍ଷିକ ୨ ଥର ଫସଲ ଉତ୍ପାଦନ କରନ୍ତି । ଏହି ଚାଷ ତାଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ବେଶ ସହାୟକ ହୋଇଛି । ବଜାରରେ ସୁଇଟ୍ କର୍ଣ୍ଣର ଚାହିଦା ଅଧିକ ରହିଥିବା ଏହି ଚାଷ କରି ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ହର ପଟେଲ ।