ଆଜି ରାଜ୍ୟରେ ‘ହର ଘର ଦସ୍ତକ’ ଅଭିଯାନ : ଦ୍ୱିତୀୟ ଡୋଜ୍ ଟିକା ନେଇନଥିବା ବ୍ୟକ୍ତିଙ୍କୁ ଘର ଘର ବୁଲି ଚିହ୍ନଟ କରାଯିବ

ଦିନକୁ ୪ ଲକ୍ଷ ୧୩ ହଜାର ଲୋକଙ୍କ ଟିକାକରଣ ଲକ୍ଷ୍ୟ

89

କନକ ବ୍ୟୁରୋ : ଆଜିଠୁ ଘରକୁ ଘର ବୁଲିବେ ସ୍ୱାସ୍ଥ୍ୟକର୍ମୀ । ରାଜ୍ୟରେ ଆରମ୍ଭ ହେବ ‘ହର ଘର ଦସ୍ତକ’ ଅଭିଯାନ । ପରିବାରର କେଉଁ କେଉଁ ସଦସ୍ୟ ଟିକା ନେଇ ନାହାନ୍ତି । ଯଦି ନେଇଛନ୍ତି ଉଭୟ ଡୋଜ୍ ନା କେବଳ ପ୍ରଥମ ଡୋଜ୍ ନେଇଛନ୍ତି । ଏନେଇ ତଥ୍ୟ ସଂଗ୍ରହ କରାଯିବ । ଏହା ପରେ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ଟିକା ଦେବାର ବ୍ୟବସ୍ଥା କରାଯିବ । ଯେଉଁ ଗାଁରେ ଅଧିକ ଲୋକ ଟିକା ନେଇ ନାହାଁନ୍ତି ସେଠାରେ ଟିକାକରଣ କେନ୍ଦ୍ର ଖୋଲାଯିବ ।

ରାଜ୍ୟ‌ର ସସସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ଡିସେମ୍ବର ସୁଦ୍ଧା ଅତିକମ୍‌ରେ ଗୋଟିଏ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ତେଣୁ ଟିକାକରଣ କେନ୍ଦ୍ର ସଂଖ୍ୟାକୁ ବୃଦ୍ଧି କରାଯିବ । ରାଜ୍ୟରେ ଏବେ ସୁଦ୍ଧା ୩୦ଲକ୍ଷ ଲୋକ ନିଜର ଦ୍ବିତୀୟ ଡୋଜ୍ ଟିକା ନେଇ ନ ଥିବା ସେ ସୂଚନା ଦେଇଛନ୍ତି । ଅପରପକ୍ଷରେ କେନ୍ଦ୍ର ସରକାର ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ୩.୦୯ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୩.୨୫କୋଟିକୁ ବୃଦ୍ଧି ପାଇଛି ।

ରାଜ୍ୟରେ ପୂର୍ବ ତୁଳନାରେ ଅଧିକ ସଂଖ୍ୟକ ଟିକାକରଣ ଅଧିବେଶନ ଆୟୋଜନ କରାଯାଉଥିଲେ ହେଁ ଟିକାକରଣ ସଂଖ୍ୟା ବଢ଼ୁନାହିଁ । ବେଶ୍ କିଛିଦିନ ହେବ ରାଜ୍ୟରେ ଦୈନିକ ଟିକାକରଣ ୩ଲକ୍ଷ ପାର୍ କରିନାହିଁ । ଏପଟେ ରାଜ୍ୟ ସରକାର ଦୈନିକ ୪.୧୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ତେଣୁ ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଗତକାଲି ରାଜ୍ୟରେ ୨୨୨୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୨ଲକ୍ଷ ୯୩ହଜାର ୧୯୦ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଯୁବ ବର୍ଗରେ ୮୨,୨୧୪ ପ୍ରଥମ ଓ ୧,୧୫,୫୦୩ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି । ସେହିପରି ୪୫ବର୍ଷରୁ ଅଧିକ ୩୭,୬୯୨ ପ୍ରଥମ ଓ ୫୬,୮୮୮ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି । ଏହାସହ ୫୧୮୧ ଗର୍ଭବତୀ ମହିଳା ମଧ୍ୟ ଟିକା ନେଇଛନ୍ତି। ରାଜ୍ୟରେ ଯୁବ ବର୍ଗର ୭୩ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୮୩ ପ୍ରତିଶତ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି । ରାଜ୍ୟରେ ଏ ପର୍ଯ୍ୟନ୍ତ ୩ କୋଟି ୭୫ଲକ୍ଷ ୫୭ହଜାର ୧୫୭ ଡୋଜ୍ ଟିକା ଦିଆଗଲାଣି ।