କନକ ବ୍ୟୁରୋ : ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଚୈତ୍ର ଶୁକ୍ଳପକ୍ଷର ନବମୀ ଦିନକୁ ରାମ ନବମୀ ଭାବେ ପାଳନ କରାଯାଏ । ରାମ ନବମୀକୁ ନେଇ ଆଜି ସାରା ଦେଶ ଉତ୍ସବ ମୁଖର । ହିନ୍ଦୁମାନଙ୍କର ଏହା ଏକ ବଡ ପର୍ବ । ରାଜ୍ୟ ତଥା ଦେଶର ରାମ ମନ୍ଦିର, ହନୁମାନ ମନ୍ଦିର ଓ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କର ଭଡି ଜମିବ ।

Advertisment

ଆଜିର ଦିନରେ ପବିତ୍ର ନଦୀ ଜଳରେ ସ୍ନାନ କରି ପୁଣ୍ୟଲାଭ କରନ୍ତି । ଏହାପରେ ଭଗବାନ ରାମଙ୍କୁ ପୂଜା କରନ୍ତି । ଅନେକ ବ୍ରତ-ଉପବାସ ରଖନ୍ତି । ଶାସ୍ତ୍ର ଅନୁଯାୟୀ, ଭଗବାନ ରାମ ଆଜିର ଦିନ ଜନ୍ମ ହୋଇଥିଲେ । ତେଣୁ ଆଜିର ଦିନକୁ ରାମ ନବମୀ ଭାବରେ ପାଳନ କରାଯାଉଛି । ଭଗବାନ ଶ୍ରୀରାମ ଚନ୍ଦ୍ର ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି କୁହାଯାଏ । ଭଗବାନ ରାମ ଅଯୋଧ୍ୟାର ରାଜା ଦାଶରଥ ଏବଂ ରାଣୀ କୌଶଲ୍ୟାଙ୍କ ସୁପୁତ୍ର ଥିଲେ ।

ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ଏହି ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ । ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ରାଜାଙ୍କର ବଡଦୁଃଖ ଥିଲା ଯେ ତାଙ୍କର କୌଣସି ସନ୍ତାନ ନ ଥିଲେ ମହାନ ଇକ୍ଷାକୁ କୁଳରେ ଉତ୍ତରାଧିକାରୀ ହେବାକୁ । କୁଳଗୁରୁ ବଶିଷ୍ଠ ପ୍ରାର୍ଥିତ ସନ୍ତାନ ପ୍ରାପ୍ତି ନିମନ୍ତେ ଋଷିଶୃଙ୍ଗଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ଉପଦେଶ ଦେଲେ । ରାଜା କୁଳଗୁରୁ ଉପଦେଶ ଅନୁସାରେ ମହାନ୍ ଋଷି ଋଷିଶୃଙ୍ଗଙ୍କୁ ଅଯୋଧ୍ୟାରେ ଯଜ୍ଞ କରିବାକୁ ତାଙ୍କ ଆଶ୍ରମକୁ ଯାଇ ପ୍ରାର୍ଥନା କଲେ ।

ବଶିଷ୍ଠ ଓ ଋଷିଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟଅଧା ଭାଗକୁ କୈକେଇଙ୍କୁ ପ୍ରଦାନ କଲେ । କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପବିତ୍ର ଚୈତ୍ର ନବମୀଦିନ ଦ୍ୱିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ । ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ୱଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷାସମାନଙ୍କୁ ସଂହାର କରିବାକୁ ପୃଥିବୀପୃଷ୍ଟରେ ଅବତରଣ କରିଥିଲେ ।