ବିଦାୟ ନେଲା ୨୦୨୦, ନୂୂଆ ସମ୍ଭାବନା ନେଇ ଆସିଲା ୨୦୨୧ : କୋଭିଡ୍ କଟକଣା ଯୋଗୁଁ, ହେଲା ନାହିଁ ଜିରୋ ନାଇଟ୍ ସେଲିବ୍ରେସନ; ଶୂନଶାନ ଭିତରେ ନୂଆବର୍ଷକୁ ସ୍ୱାଗତ

96

କନକ ବ୍ୟୁରୋ : ବିଦାୟ ନେଲା ପୁରୁଣା ବର୍ଷ ୨୦୨୦ । ନୂଆ ଉତ୍ସାହ ଓ ସମ୍ଭାବନା ନେଇ ଆସିଲା ୨୦୨୧ । ୨୦୨୧ ପ୍ରଥମ ଦିନର ପ୍ରଥମ ସୂର୍ଯ୍ୟ ଉଇଁ ସାରିଛି । ଫର୍ଚ୍ଚା ଆକାଶରେ କଅଁଳ ସୂର୍ଯ୍ୟର ଉଦୟ ଦୃଶ୍ୟ ବେଶ ମନୋରମ । ଉଦୟ ସୂର୍ଯର ଅରୁଣିମା ଜଳାଶୟରେ ପ୍ରତିବିମ୍ବ ସୃଷ୍ଟି କରି ମନ ମୋହୁଛି । ଶାନ୍ତ, ଶୀତଳ ପରିବେଶରେ ନୂଆ ବର୍ଷର ସୂର୍ଯ୍ୟୋଦୟ ଖୁବ୍ ମନୋରମ । ସୂର୍ଯ୍ୟର ଆଲୋକ ଭଳି ସମସ୍ତଙ୍କ ଜୀବନ ଆଲୋକିତ ହେଉ । କୋଭିଡ୍ କଟକଣା ଯୋଗୁଁ ଶୂନଶାନ ପରିବେଶରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ରାଜ୍ୟବାସୀ ।
କଟକଣା ଯୋଗୁଁ ଜିରୋ ନାଇଟ୍ ସେଲିବ୍ରେସନ ପାଳି ନାହାଁନ୍ତି ଲୋକେ । ହୋଟେଲ, କ୍ଲବରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲାଗିଥିବା କାରଣରୁ ଫିକା ପଡିଯାଇଛି ନୂଆ ବର୍ଷ ଉତ୍ସବ । ୨୦୨୦ରେ ଆତଙ୍କ ଖେଳାଇଥିବା ମହାମାରୀ କରୋନା ସଂକ୍ରମଣ ହାର କମ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଯାଇନଥିବାରୁ ଜିରୋ ନାଇଟ ସେଲିବ୍ରେସନରେ କଟକଣା ଲଗାଇଥିଲେ ସରକାର । ଜିରୋ ନାଇଟ୍ ସେଲିବ୍ରେସନ ଉପର ସରକାର କଟକଣା ଲାଗୁ କରିଥିବାରୁ ସାରା ରାତି କମିଶନରେଟ ପୁଲିସ କସରତ କରିଥିଲା ।

ରାତି ୯ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଥିଲା । ଏହି ପରିପ୍ରେକ୍ଷୀରେ କମିଶନରେଟ ପୁଲିସ ସହରର ୪୪ଟି ସ୍ଥାନରେ ନାକାବନ୍ଦୀ କରିଥିଲା । ଏହି ସବୁ ସ୍ଥାନରେ ଗାଡିଗୁଡିକର ଯାଂଚ କଡାକଡି କରାଯାଇଥିଲା । ଜରୁରୀ ସେବାରେ ନଥିବା ଗାଡି ଗୁଡିକୁ ଯାଂଚ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ର୍ରହଣ କରିଥିଲା ପୁଲିସ । ଆଜି ନୂଆବର୍ଷ ପାଇଁ ପାର୍କ ଗୁଡିକରେ ଭିଡ ହେବା ଆଶଙ୍କା କରି କମିଶନରେଟ୍ ପୁଲିସ ପକ୍ଷରୁ ନିୟନ୍ତ୍ରଣ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସହରର ୧୨ଟି ପ୍ରମୁଖ ପାର୍କ ଉପରେ କଡା ନଜର ରଖିବାକୁ ଯୋଜନା କରିଛି ପୁଲିସ ।